Unknown

 

 

 

 

 

 

 

 

 

 

ଗୋପୀ ବିଳାପ

ବ୍ରଜନାଥ ବଡ଼ଜେନା

 

ସୂଚୀପତ୍ର

 

୧.

ପ୍ରଥମ ବୋଲି

୨.

ଦ୍ୱିତୀୟ ବୋଲି

୩.

ତୃତୀୟ ବୋଲି

୪.

ଚତୁର୍ଥ ବୋଲି

୫.

ପଞ୍ଚମ ବୋଲି

୬.

ଷଷ୍ଠ ବୋଲି

 

ପ୍ରଥମ ବୋଲି

(ରାଗ-ଚକ୍ରକେଳି)

 

ଜୟ କୃଷ୍ଣଚନ୍ଦ୍ର ରାଧା ନାୟକ

ଜୟ ଅତସି କୁସୁମ କାୟକ ।୧।

 

ଜୟ ଗୋପୀ ମନୋରଥ ଦାୟକ

ଜୟ ଅଶେଷ ଲୀଳା ବିଧାୟକ ।୨।

 

ଜୟ ମୋହନ ମୂରଲୀ ଧାରଣ

ଜୟ ମୋହ ବିପତ୍ତି ନିବାରଣ ।୩।

 

ଜୟ ପ୍ରଫୁଲ୍ଲ ପଙ୍କଜ ଚରଣ

ଜୟ ଅଶରଣ ଜନ ଶରଣ ।୪।

 

ଜୟ ବୃନ୍ଦା ବିପିନ ଶଶଧର

ଜୟ ତରୁଣ ଅରୁଣ ଅଧର ।୫।

 

ଜୟ ଚନ୍ଦ୍ରକ ଚନ୍ଦ୍ରକ ମଣ୍ଡନ

ଜୟ ଭବ ଭୟ ଚୟ ଖଣ୍ଡନ ।୬।

 

ଜୟ କଂସ ଅସୁର ନାଶକର

ମୋତେ କିଞ୍ଚିତ ଚିତ୍ତେ ଦୟା କର ।୭।

 

ପାପୀ ମୋହ ପରି ନାହିଁ ଜଗତୀ

ଦିନେ କରି ନାହିଁ ତୁମ୍ଭ ଭଗତି ।୮।

 

ଅତି ଅନିତ୍ୟ ସଂସାର ଦେଖୁଛି

ଦେଖୁ ଦେଖୁ ମୋହପଙ୍କେ ଲାଖୁଛି ।୯।

 

ହୋଇ ଆସକତ ମାୟା ମୋହରେ

ମନ ଦେଲି ନାହିଁ ତୁମ୍ଭ ପାଦରେ ।୧୦।

 

ଯେଣୁ ମୋଚିତ୍ତ ଆୟତ୍ତ ନୁହଇ

ଧର୍ମ କରିବା ସାମର୍ଥ ହିଁ ନାଇଁ ।୧୧।

 

ଆଉ ଏବେ କଉଁ ବୁଦ୍ଧି କରିବି

ଦିନେ ଏଥର ଅବଶ୍ୟ ମରିବି ।୧୨।

 

ନିଶ୍ଚେ ଜାଣୁଛି ପଡିବି ନରକେ

ଆହା ବୋଲିବାକୁ ନାହିଁ ମୋର କେ ।୧୩।

 

ଏକା ଏତିକି ଭରସା ଦିଶୁଛି

ତୁମ୍ଭେ ତାରିବ ମନକୁ ଆସୁଛି ।୧୪।

 

ତୁମ୍ଭ ନାମ ଯେ ପତିତ ତାରଣ

ଅଟ ପୁଣି ଅଶରଣ ଶରଣ ।୧୫।

 

ମୋତେ ଏହି ଘେନି ଦୟା କରିବ

ମହାପାପୀ ହେଲେହେଁ ତ ତାରିବ ।୧୬।

 

ପ୍ରଭୁ ମୋହଠାରେ ନୁହ ନିର୍ଦ୍ଦୟ

ଦିବ୍ୟ ଚିତ୍ତେ ଦୟାକର ଉଦୟ ।୧୭।

 

କିଛି ବର୍ଣ୍ଣିବି ତୁମର ଚରିତ

ନାଶ ଯିବ ମୋର ଘୋର ଦୁରିତ ।୧୮।

 

ସାଧୁ ଜନମାନେ କର କରୁଣା

ତୁମ୍ଭ ପ୍ରସନ୍ନେ ହେବି ମୁଁ ଫୁରୁଣା ।୧୯।

 

ମୋର ଦୋଷାଦୋଷ କିଛି ନ ଧର

ଘୋର ସଂସାର ସାଗରୁ ଉଦ୍ଧର ।୨୦।

 

ମୋର କଥାରେ ବୋଲିବି ଏ ବୋଲି

ଦୋଷ ନ ଦେବ ଦେଶ ଭାଷା ବୋଲି ।୨୧।

 

ଯେଣୁ କୃଷ୍ଣ ଚରିତ ଏ ଅଟଇ

ଦୋଷ ଥିଲେହେଁ ଏଥି ନ ଘଟଇ ।୨୨।

 

ତୁମ୍ଭେ ଯେବେ ଅନୁଗ୍ରହ କରିବ

ତେବେ ଏ ଗୀତ ମୋର ପ୍ରସରିବ ।୨୩।

 

ଖଳ ଜନମାନେ ଏଥି ଦୁଷିବେ

ହେଲା ନୋହିଲା ବୋଲି ଯେ ଭାବିବେ ।୨୪।

 

ସେ ତ ତାଙ୍କର ସହଜ ସ୍ୱଭାବ

ବୃଥା କଥାରେ କରନ୍ତି ଅଭାବ ।୨୫।

 

କରି ଶରଣ ଯେ ତୁମ୍ଭମାନଙ୍କୁ

ଡରୁ ନାହିଁ ଦୁରୁଜନମାନଙ୍କୁ ।୨୬।

 

ଏବେ ଶୁଣ ନରେ ତୋଷ ଚିତ୍ତରେ

ଯେଉଁ କଥା କହୁଅଛି ଗୀତରେ ।୨୭।

 

କଂସ ମାରିବା ବିଚାରି ମନରେ

ହରି ଜନ୍ମିଲେ ମଧୂ ଭୁବନରେ ।୨୮।

 

ଆସି ବଢିଲେ ଯଶୋଦା କୋଳରେ

କେଳି କଲେ ଗୋପବାଳ ମେଳରେ ।୨୯।

 

ଷୋଳ ସହସ୍ର ଗୋପୀଙ୍କି ମୋହିଲେ

ସେ ତ ସରିବାର ନୋହେ କହିଲେ ।୩୦।

 

ଯାହା ଜାଣି ନାହାନ୍ତି ବ୍ରହ୍ମା ଶିବ

ମୋତେ କହିବାକୁ କି ସେ ଆସିବ ।୩୧।

 

ଦୂର କରି ତେଡ଼େ ବଡ଼ ପୀରତି

ଗଲେ ମଥୁରା ମଧୁର ମୂରତି ।୩୨।

 

କଂସ ନାସି ତେଣେ ଯାଇଁ ରହିଲେ

କାମ ଅନଳେ ଗୋପୀଙ୍କି ଦହିଲେ ।୩୩।

 

ମହାଦୁଃଖୀ ହେଲେ ବ୍ରଜ କିଶୋରୀ

ତାଙ୍କ ଗୁଣ ନ ପାରିଲେ ପାଶୋରି ।୩୪।

 

ଦିନୁ ଦିନ ଅତି ଖିନ୍ନ ହୁଅନ୍ତି

ମନ କୃଷ୍ଣଠାରେ ମାନ୍ତ୍ର ଦିଅନ୍ତି ।୩୫।

 

ଦିନେ ହୋଇଥିଲା ଚନ୍ଦ୍ର ରଜନୀ

ମେଳ ହୋଇଥିଲେ ଛଅ ସଜନୀ ।୩୬।

 

ଛୟେ ଚୁନ ପ୍ରାଙ୍ଗଣକୁ ଆସିଲେ

କୃଷ୍ଣ ଲୀଳାମାନ କହି ବସିଲେ ।୩୭।

 

ରସକଳା, ପ୍ରୀତିଶୀଳା, କମଳା,

ପ୍ରିୟବତୀ, ରସବତୀ, ଶ୍ୟାମଳା ।୩୮।

 

କଉଁ ସଜନୀ ତହିଁରେ ବୋଇଲା

ଆମ୍ଭ ମରଣ ଗୋ ଆସି ହୋଇଲା ।୩୯।

 

ତାକୁ ପାଶୋରି କି ଆଉ ପାରିବା

ପଛେ ଝୁରି ଝୁରି ସିନା ମରିବା ।୪୦।

 

କେତେ ସ୍ନେହ କରି ମନ ମଣ୍ଡନ

ଏବେ ଏକାବେଳେ କଲେ ଖଣ୍ଡନ ।୪୧।

 

ଦିନ ଦିନକ ଚରିତ କହିଲେ

ନ ସରିବ ଯୁଗକରେ ଲିହିଲେ ।୪୨।

 

ଶୁଣ କହଇ ପରାଣ ପୀରତି

ମତେ ଯାହା କଲେ ଚାରୁ ମୂରତି ।୪୩।

 

ସେ ତ ଚିତ୍ତର ମୋହନ ମନ୍ତର

ଦେଖି କାମେ କେ ନୋହିବ କାତର ।୪୪।

 

କେତେ ଜାତି ବେଶ ଥାଇ ବନାଇଁ

କେବା ନ ଭୁଲିବ ତାକୁ ଅନାଇଁ ।୪୫।

 

ଆହା କି ମୋହନ ବାଣୀ କହଇ

ସତୀ ଯୁବତୀଙ୍କ ମନ ମୋହଇ ।୪୬।

 

ସହି ଚାହିଁଲେ ମୁଁ ତାର ବଦନ

ମୋତେ କେତେ ଦଣ୍ଡ ଦିଏ ମଦନ ।୪୭।

 

ବେନି ବାହୁ ଘେନି ତାଙ୍କୁ ଭିଡିବି

ଜଡି ଯାଇଁ ନିବିଡେ ନ ଛାଡିବି ।୪୮।

 

ଚାରୁ ମୁଖେ ଦେବି ସରୁ ଚୁମ୍ବନ

ଏହି କଥା ହିଁ ଲୋଡୁଥାଇ ମନ ।୪୯।

 

ପୁଣି କୁଳ ବେଭାରକୁ ଡରଇ

ଶାଶୁ ନଣନ୍ଦଙ୍କୁ ଭୟ କରଇ ।୫୦।

 

ସେହି ମୋତେ ଭଲ ସୁଖ ପାଆନ୍ତି

ଅତି ସରାଗେ ଅନାଇଁ ଥାଆନ୍ତି ।୫୧।

 

ମୋର ପାଣି ଆଣିଯିବା କାଳରେ

ଜଗି ବସିଥାନ୍ତି ନଦୀ କୂଳରେ ।୫୨।

 

ଦିନେ ନ ଦେଖିଲେ ମୋର ମୁଖକୁ

ମନେ ଲଭୁଥାନ୍ତି ମହାଦୁଃଖକୁ ।୫୩।

 

ଯେବେ ଏକା କରି ଭେଟ ପାଆନ୍ତି

ଅତି ବିନତିରେ କହୁ ଥାଆନ୍ତି ।୫୪।

 

ଦିନେ ମୋ କଥା ନୋହିଲା ମନରେ

କରି ନିରାଶ କି ଦାସ ଜନରେ ।୫୫।

 

କାମ ନିଶ୍ଚୟେ କଲାଟି ମରଣ

ପ୍ରାରବନ୍ଧୁ ହେଉ ନାହୁଁ ଶରଣ ।୫୬।

 

ତାହାଙ୍କୁ ମୁଁ ବୋଇଲି ଆହେ ହରି

କେଉଁ ଆୟତ୍ତ ଅଛିଟି ମୋହରି ।୫୭।

 

ତୁମ୍ଭ ସଙ୍ଗ ସୁଖ ଭୋଗ ହୋଇବ

ଏହା କଲା କେଉଁଠାରେ ଦଇବ ।୫୮।

 

ମୋର ଅଛନ୍ତି ଭଗାରୀ ବହୁତ

ଦୋଷ ଦେଉଥାନ୍ତି ଚାହୁଁ ଚାହୁଁ ତ ।୫୯।

 

ଶାଶୁ ବୁଢୀ ହିଁ ଦେଖି ନପାରଇ

ମିଛେ ଦୋଷ ଦେଇ ଗଞ୍ଜି ମାରଇ ।୬୦।

 

ସହି ନୁହଇ ନଣନ୍ଦ ଗୁମାନ

ତାର ବଚନ ପାଷାଣ ସମାନ ।୬୧।

 

ମନ ମୋହନ ଏଥି କି କରିବି

କେହି ତୁମ୍ଭ ପ୍ରୀତି କରି ପାରିବି ।୬୨।

 

ଏହି ରୂପରେ ମୁହିଁ କହୁଥାଇ

ଯେଣୁ କିଛିହିଁ ଆୟତ୍ତ ନଥାଇ ।୬୩।

 

ଏହି ରୂପରେ ପରାଣ ମିତରେ

କେତେ ଦିନ ଗଲା ଏଥି ଭିତରେ ।୬୪।

 

ଶାଶୁ ଝିଆରୀର ବିଭା ପଡିଲା

ପୁଣି ଶାଶୁକୁ ତା ଭାଇ ଲୋଡିଲା ।୬୫।

 

ମୋର ଏକା ଝିଅ ବିଭା କରୁଛି

ଏହିଠାରୁ ତ ଦେଖିବା ସରୁଛି ।୬୬।

 

ତୁମ୍ଭେ ଯିବ ଝିଅକୁ ସଙ୍ଗେ ଘେନି

ମୁହିଁ ଆସିଛିଟି ମୂଳ ଏ ଘେନି ।୬୭।

 

ଘେନା ଘେନି କରି ବହୁ କହିଲେ

ମାଆ ଝିଅଟି ବାହାର ହୋଇଲେ ।୬୮।

 

ଝିଅ ଖୋଷା ଖୋଷି ଗଭା ବାନ୍ଧିଲା

କଳା ଘାଗଡା ଶାଢ଼ୀଏ ପିନ୍ଧିଲା ।୬୯।

 

ମୁଣ୍ଡେ ଦେଲା ତା ସିନ୍ଦୂର ଚିତାକୁ

ଦେଲି ମୋ ବଳା ପାହୁଡ଼ ହିଁ ତାକୁ ।୭୦।

 

ମନ ଅନୁରୂପେ ସଜ ହୋଇଲା

ମତେ ଚାହିଁ ଶାଶୁ ଏହା ବୋଇଲା ।୭୧।

 

ଘର ବୁଲି ନ ଯିବୁଟି କେଣିକି

ବେଳ ଥାଉ ଆଣ ଯାଇ ପାଣିକି ।୭୨।

 

ରାତି ନୋହୁ ଭାତ ରାନ୍ଧି ଖାଇବୁ

ଦ୍ୱାର କିଳି ଗମ୍ଭୀରିରେ ଶୋଇବୁ ।୭୩।

 

ମୋର ଅସହଣି ଲୋକେ ଅଛନ୍ତି

ତୁଚ୍ଛା କଥା ହେଲେହେଁ ତ ବାଛନ୍ତି ।୭୪।

 

ଦାଣ୍ଡେ ହାଟେ ନ ବାଢିବୁ ପୋଥାକୁ

ତୋତେ ତିଆରୁଛି ଏହି କଥାକୁ ।୭୫।

 

ଏତେ କହି ସେହୁ କଲେ ଗମନ

ଶୁଣ ଏ ଉତ୍ତାରୁ ହୋଇ ସୁମନ ।୭୬।

 

ଶାଶୁ ତିଆରିବା କଥା ଶୁଣିଲି

କୁଳ ବେଭାର ମନକୁ ଆଣିଲି ।୭୭।

 

ସେହିକ୍ଷଣି ପାଣି ଘେନି ଅଇଲି

ବେଗା ବେଗି ଭାତ ରାନ୍ଧି ଖାଇଲି ।୭୮।

 

ଦାଣ୍ଡ ବାଡି କବାଟହିଁ କିଳିଲି

ଯାଇ ଗମ୍ଭୀରି ଘରରେ ମିଳିଲି ।୭୯।

 

ପଲଙ୍କ ଉପରେ ଶେଯ ପାଢ଼ିଲି

ଦୀପ ଲିଭାଇ ଦେଇ ପହୁଡ଼ିଲି ।୮୦।

 

ସୁଖେ ନିଦ ଯାଇଛି ମୁଁ ସଜନୀ

ଆସି ଅର୍ଦ୍ଧ ହୋଇଲାନି ରଜନୀ ।୮୧।

 

ଏହି ସମୟରେ କାନ୍ତ ଅଇଲେ

ଦାଣ୍ଡ କବାଟ କି କରି ଫେଇଲେ ।୮୨।

 

ଘରେ ପଶି ସେ ଦ୍ୱାରକୁ କିଳିଲେ

ଆସି ଶୋଇବା ଠାବରେ ମିଳିଲେ ।୮୩।

 

ଖଟ ଉପରେ ବସି ମୋ କତିକି

କରୁଛନ୍ତି ନାନା ଗତାଗତିକି ।୮୪।

 

ମୋର କୁଚ ପରୁ ବାସ ଖସାଇ

ତହିଁ ଶ୍ରୀକର ଅଛନ୍ତି ବସାଇ ।୮୫।

 

ଚାରୁ ସରୁ ଚୁମ୍ବ ଦେଇ ମୁଖରେ

ନଖ ଭୁଷି ଦେଉଛନ୍ତି କକ୍ଷରେ ।୮୬।

 

ତେବେ ପାଉ ନାହିଁ ମୁହିଁ ଜ୍ଞାନକୁ

ପୁଣି ଫିଟାଇ ନୀବି ବନ୍ଧନକୁ ।୮୭।

 

କାମ ସଦନରେ ଚାଳି କରଜ

ଅଣ୍ଟେ ମର୍ଦ୍ଦନ କରିଣ ଉରଜ ।୮୮।

 

ତେତେବେଳେ ନିଦ୍ରା ମୋର ହଟିଲା

ବୁଜିଥିଲା ବେନି ନେନ୍ତ୍ର ଫିଟିଲା ।୮୯।

 

ଚକିତେ ମୁଁ ଦିଅନ୍ତେ ଅନାଇ

ପାଶେ ବସିଛନ୍ତି କଳାକହ୍ନାଇ ।୯୦।

 

କର୍ଣ୍ଣ କୁଣ୍ଡଳ ରତନ ତୋରା ଏ

ରାତି ଦିଶୁଛି ଦିବସ ପରାଏ ।୯୧।

 

ଦେଖି ଅତିହିଁ ତାଟକା ହୋଇଲି

କିଏ କାହିଁ ପକାଇଲ ବୋଇଲି ।୯୨।

 

ମୋର ଘରେ କେହି ଜଣେ ନାହାନ୍ତି

ଆସି ନିଶା ହୋଇଲାଣି ପାହାନ୍ତି ।୯୩।

 

ଏତେ ବେଳରେ କାହିଁକି ଅଇଲ

ନିଶ୍ଚେ କୁଳରୁ ମୋତେ ଛଡାଇଲ ।୯୪।

 

ଯେବେ କେହି କାହିଁ ଏହା ଜାଣିବ

ମୋତେ କୁଳଟା କୁଳରେ ଗଣିବ ।୯୫।

 

ଆଉ କାହା ମୁଖ ଦେଖି ପାରିବି

ନିଶ୍ଚେ ଗରଳ ଖାଇଣ ମରିବି ।୯୬।

 

ଏବେ ଘରକୁ ଯାଅ ହେ ବହନ

ଘେନ ମୋ ବିନୟ ମନ ମୋହନ ।୯୭।

 

ଶୁଣି ସେ ମୋର ନିରାଶ ଭାରତୀ

ବୋଇଲେ ରେ ଶୁଣ ପ୍ରାଣ ପୀରତି ।୯୮।

 

କାହିଁ ପାଇଁକି ନିରାଶ କରୁଛୁ

ମୋର ସବୁ ଆନନ୍ଦ ତ ସାରୁଛୁ ।୯୯।

 

ନାଶ ନ କରି ବନ୍ଧ ମୋର ଆଷ

ରତି ରସେ ବିହର ଆସ ଆଶ ।୧୦୦।

 

ଏତେ କହି ମୋ ଚରଣ ଧଇଲେ

ଅତିଶୟରେ ବିନତି ହୋଇଲେ ।୧୦୧।

 

ମୋର ମନହିଁ ସେ କାଳେ ମିଳିଲା

ରତି ରସରେ ଶରଧା ବଳିଲା ।୧୦୨।

 

ତାଙ୍କୁ ଲୋଡୁ ଥାଇ ରାତି ଦିବସେ

ତାର ସଙ୍ଗ ହୋଇଛି ବିଧିବଶେ ।୧୦୩।

 

ଆଉ କେଉଁରୂପେ ଛାଡି ପାରନ୍ତି

ପଛେ ଝୁରି ଝୁରି ସିନା ମରନ୍ତି ।୧୦୪।

 

ବିଚାରିଲି ଜୀବ ପଛେ ଯିବ ତ

କୃଷ୍ଣଚନ୍ଦ୍ରଙ୍କୁ ଭୋଗ କରିବି ତ ।୧୦୫।

 

ମିତ ଚିତ୍ତ ତାଙ୍କଠାରେ ରହିଲା

ଚାହୁଁ ଚାହୁଁ ଧୈର୍ଯ୍ୟଧରି ନୋହିଲା ।୧୦୬।

 

ବେଗେ ବସାଇଲି ଆଣି କୋଡ଼ରେ

ବେନି ଭୁଜେ ଭିଡ଼ିଲି ନିବିଡ଼ରେ ।୧୦୭।

 

ଶ୍ରୀଅଙ୍ଗରେ ଛାପ ଦେଲି ତାଡ଼ରେ

ଦେହ ଥରୁଥିଲା କାମ ଜଡ଼ରେ ।୧୦୮।

 

ପୂର୍ବ ମନୋରଥ ଫଳ ଧ୍ୟାଇଲି

ପଦ୍ମ ବଦନ ଚୂମ୍ବନେ ଛାଇଲି ।୧୦୯।

 

ବିମ୍ବାଧରୁ ସୁଧାରସ ପିଇଲି

କାମ ଜ୍ୱର ଅଙ୍ଗରୁ ଛଡ଼ାଇଲି ।୧୧୦।

 

ସହି ସେହି ତାଙ୍କ ପରି ନାଗର

ମିଛ ନୁହଇ ସେ ରସ ସାଗର ।୧୧୧।

 

ମୋତେ କେତେ ମତେ ଆହା ବୋଇଲେ

ସ୍ନେହବାଣୀ ପୁଣି କେତେ କହିଲେ ।୧୧୨।

 

କହୁ କହୁ ମୋ ଚେତନା ଦହିଲେ

ରସେ ମନମୀନ ଭିଡ଼ି ରହିଲେ ।୧୧୩।

 

କେତେ ଜାତି ରତିମାନ ବିହିଲେ

ସଖି ନ ସରିବ ସେତ କହିଲେ ।୧୧୪।

 

ପୁଣି ସୁରତି ଅନ୍ତରେ ଲାଗିଲେ

ବିପରୀତ ରତି ମୋତେ ମାଗିଲେ ।୧୧୫।

 

ତାଙ୍କ ବଚନ ଲଙ୍ଘି ନପାରିଲି

ବିପରୀତ ହିଁ ପୁଣି ଆଚରିଲି ।୧୧୬।

 

କାମ ରସରୁ ଆବେଶ ତୁଟିଲା

ଦୁହିଁଙ୍କର ନେତ୍ରେ ନିଦ୍ରା ଘୋଟିଲା ।୧୧୭।

 

ମୋତେ ଅନାଇ ବୋଇଲେ ସଜନୀ

ଆଉ ଅଛି ତ ପହଡ଼େ ରଜନୀ ।୧୧୮।

 

ଆସ ଟିକିଏ ମାନ୍ତ୍ରକ ଶୋଇବା

ନିଦ୍ରା ସୁଖହିଁ ଏକାଳେ ପାଇବା ।୧୧୯।

 

ମୁହିଁ ତାହା ଶୁଣି କଲି ସମ୍ମତି

ଛାଡ଼ିବାକୁ ନୋହିଲା ତାଙ୍କ ମତି ।୧୨୦।

 

ଦୁଇଜଣ ପଲଙ୍କରେ ଶୋଇଲୁ

ନିଦ୍ରାବଶରେ ଆବେଶ ହୋଇଲୁ ।୧୨୧।

 

ଏ ଉତ୍ତାରୁ ଶୁଣ ଯାହା ହୋଇଲା

ଶାଶୁ ଝିଆରୀର ବିଭା ସଇଲା ।୧୨୨।

 

ବରଜାତି ଖିଆପିଆ ସାଇଲେ

ଯେଝାମତେ ସେ ସମସ୍ତେ ଶୋଇଲେ ।୧୨୩।

 

ମୋର ଶାଶୁକୁ ନିଦ ନ ମାଡିଲା

ଘରେ ଆସିବାକୁ ମନ ଉଡିଲା ।୧୨୪।

 

ଆଜ ଯାଇ ବହୁ କଥା ଜାଣିବି

ସତୀ ଅସତୀ ଅବା ସେ ମଣିବି ।୧୨୫।

 

ଏହି ମନେ ବାହାରିଲା ରାନ୍ତ୍ରରେ

ଝିଅକୁହିଁ ଘେନିଣ ସଙ୍ଗତରେ ।୧୨୬।

 

ଜଣେ ଗୋ ପାଇକ ଘେନି ସଙ୍ଗରେ

ତୁନି ହୋଇ ଅଇଲେ ସେ ବେଗରେ ।୧୨୭।

 

ନିଶବଦ ହୋଇଛନ୍ତି ଗାଆଁ ରେ

ଆସି ତିନିହେଁ ମିଳିଲେ ଦୁଆରେ ।୧୨୮।

 

ଦେ ଲୋ କବାଟ ଫିଟାଇ ଡାକିଲେ

ଘର କବାଟ ବହୁତ ଠୁକିଲେ ।୧୨୯।

 

ମୁଁ ଗୋ ଥାଆନ୍ତିଟି ଯେବେ ଚିଆଇଁ

କି କି ବୁଦ୍ଧି ଅବା ଥାନ୍ତି ଭିଆଇ ।୧୩୦।

 

ଦେହ ହିଁ ତ ଆସକତ ହୋଇଛି

ଏଣୁ ଅଚେତନେ ନିଦ ଯାଇଛି ।୧୩୧।

 

ଡାକି ଡାକି ଶାଶୁ ଯେଣୁ ଫୁଟିଲା

ତେଣୁ ଗୁଆଳୀ ପିଢାକୁ ଉଠିଲା ।୧୩୨।

 

ଚାଳୁଁ ଅଗଣାକୁ ଡେଇଁ ପଡିଲା

ଯାଇ ଦୁଆର କବାଟ ଫେଡିଲା ।୧୩୩।

 

ଶାଶୁ ବୁଢ଼ୀ ମନ୍ଦିରକୁ ଅଇଲା

ଝିଅ ଦୀପ ଲଗାଅ ଲୋ ବୋଇଲା ।୧୩୪।

 

ଦୀପ ନୋହୁ ଭିତରକୁ ଚଳିଲା

ଖଟ ଉପରେ ଦରାଣ୍ଡି କଳିଲା ।୧୩୫।

 

ଆମ୍ଭେ ଶୋଇଛୁ ତ ଆସକତରେ

ଚେତା ନାହିଁ ନାହିଁ ଲବ ମାତରେ ।୧୩୬।

 

ବୁଢ଼ୀ ଜାଣି ତା ବଡ଼ କହରୁଛି

ଡାକ ଉପରେ ଡାକ ହିଁ ପାରୁଛି ।୧୩୭।

 

ଝିଅ ବହନ ଦୀପ ଲଗାଇଲା

ମାଆ ଡାକ ଶୁଣି ଧାଇଁ ଅଇଲା ।୧୩୮।

 

ଆମ୍ଭ ବେନି ଜଣଙ୍କୁ ଅନାଇଲେ

ଏତ ନନ୍ଦ ସୁତ ବୋଲି ବୋଇଲେ ।୧୩୯।

 

ଝିଅ ଦ୍ୱାରକୁ ଜଗିଲା ନିଠାଇ

ଶାଶୁ ପେଲି ଦେଲା ମୋତେ ଉଠାଇ ।୧୪୦।

 

ତେତେବେଳେ ମୋର ନିଦ୍ରା ଭାଜିଲା

ସେହି ସଙ୍ଗତେ ଚେତନା ହଜିଲା ।୧୪୧।

 

ମହା ଭଏ ମୋର ଦେହ ଥରୁଛି

କୃଷ୍ଣଚନ୍ଦ୍ରଙ୍କୁ ଚାହିଁ ବିଚାରୁଛି ।୧୪୨।

 

ମୁହିଁ ନାଶ ହୋଇଲିଣି ଦଇବେ

ମୋହ ଘେନି ଏହି ନାଶ ହୋଇବେ ।୧୪୩।

 

ଏହି କଥା ମାନ୍ତ୍ର ମନେ ପଡୁଛି

ଚେତନାକୁ ଘେନି ନାଡି ଛାଡୁଛି ।୧୪୪।

 

ଶାଶୁ ଚାହିଁ ବୋଲେ ଡରୁ କାହିଁକି

ତୋର ସତୀପଣ ଏବେ ନାହିଁକି ।୧୪୫।

 

କଉଁ ଭାଗ୍ୟେ ମୋ ପୁରକୁ ଅଇଲୁ

ମୋର କୁଳେ କଳଙ୍କ ଲଗାଇଲୁ ।୧୪୬।

 

ପୁଅ କେଉଁ ପାପ ମୋର କରିଛି

ଆହା ତୋ ହାତ ସେ ଯାହା ଧରିଛି ।୧୪୭।

 

ଏହିକ୍ଷଣି କିସ ହେବ କହିଲେ

ଦେବି ଡେଙ୍ଗୁରାତ ରାତି ପାହିଲେ ।୧୪୮।

 

ପୁଣି ଅନାଇ ବୋଇଲା ଝିଅକୁ

ବାନ୍ଧି ପକା ଲୋ ଏ ନନ୍ଦ ପୁଅକୁ ।୧୪୯।

 

କଥା କହୁ କହୁ କାହିଁ ଯିବଟି

ସବୁ କାର୍ଯ୍ୟ ବିଅର୍ଥ ହୋଇବଟି ।୧୫୦।

 

ଝିଅ ଦଉଡିଏ ଘେନି ଅଇଲା

ଘନଶ୍ୟାମକୁ ବାନ୍ଧି ପକାଇଲା ।୧୫୧।

 

ଯହୁଁ ଅସତୀଏ ହୁରି ପାରିଲେ

ସାଇ ପଡିଶାଏ ଆସି ପୂରିଲେ ।୧୫୨।

 

ପଚାରିଲେ ଏ କି ଗୋଳ କରୁଛୁ

ଏତେ ରାତିରେ କାହାକୁ ମାରୁଛ ।୧୫୩।

 

ଶୁଣି ଶାଶୁ ଶିରେ କର ମାଇଲା

ମୋର ବେଭାର ମହତ ସଇଲା ।୧୫୪।

 

ଦେଖ ଯାଇ ମୋହ ବୋହୁ ରୀତିକି

କଉଁ ବୁଦ୍ଧି କରିବି ଅସତୀକି ।୧୫୫।

 

ଏହା ଶୁଣି ସେ ସଭିଏଁ ଅଇଲେ

ଦୀପ ଜଳୁଅଛି ତ ଅନାଇଲେ ।୧୫୬।

 

କୃଷ୍ଣ ଛାଡି ଆପଣା ସ୍ୱରୂପକୁ

ଧରିଛନ୍ତି ମୋ ଭଣଞ୍ଜା ରୂପକୁ ।୧୫୭।

 

ବେନି ହାତ କ୍ରୋଧେ ମୁଣ୍ଡେ କୋଡୁଛି

ମଲି ମଲି ବୋଲି ଡକା ପାଡ଼ୁଛି ।୧୫୮।

 

ନୟନରୁ ଅଶ୍ରୁଜଳ ପଡ଼ୁଛି

ଅତି ଆକୁଳେ ମହୀରେ ଗଡ଼ୁଛି ।୧୫୯।

 

ସାଇ ପଡିଶାକୁ ଚାହିଁ ବୋଇଲା

ରାଜା ରାଇଜ ଅନ୍ୟାୟ ହୋଇଲା ।୧୬୦।

 

ମୋତେ ଶୋଇବାକୁ ଡାକି ଆଇଁଲେ

ଏବେ ଦେଖଛ ବାନ୍ଧି ତ ମାଇଲେ ।୧୬୧।

 

ମୋର ମାଆକୁ କେ ଯାଇଁ କହିବ

ସେ କି ଶୁଣିଲେ ଏମାନ ସହିବ ।୧୬୨।

 

ମୁଁ ଗୋ ତାଟକାରେ ତାକୁ ଚାହିଁଲି

ସାଇ ପଡିଶାକୁ ଚାହିଁ କହିଲି ।୧୬୩।

 

ଗଲେ ତ ଏ ଦୁହେଁ ବିଭାଘରକୁ

ମୋତେ ଜଗାଇ ନିଜ ମନ୍ଦିରକୁ ।୧୬୪।

 

ଏକା ହେବାରୁ ମୁଁ ଦକା ପାଇଲି

ଶୋଇବାକୁ ଭଣଞ୍ଜାକୁ ଆଇଁଲି ।୧୬୫।

 

ତାଙ୍କ ଘରୁ ଖାଇ ପିଇ ଅଇଲେ

ଏତ ବାଳକ ମୋ କୋଳେ ଶୋଇଲେ ।୧୬୬।

 

ରାତି ରାତି ମାଆ ଝିଅ ଅଇଲେ

ବାନ୍ଧି କଅଁଳ ପୁଅକୁ ମାଇଲେ ।୧୬୭।

 

କଉଁ ଧରମ ଏହାକୁ ସହିବ

ରାତି ପାହିଲେ ଡକା ତ ହୋଇବ ।୧୬୮।

 

ଏ ତ ଭଣଞ୍ଜାମାନଙ୍କୁ ଗଛନ୍ତି

ମୋତେ ସେହି ଦୋଷ ଦେଉଅଛନ୍ତି ।୧୬୯।

 

ଶୁଣି ସମସ୍ତେ ତାଟକା ହୋଇଲେ

ମାଆ ଝିଅଙ୍କୁ ଧିକାରୀ ବୋଇଲେ ।୧୭୦।

 

ଏତେ ରାତିରେ ଚହଳ କରୁଛ

ପର ପୁଅକୁ ଅଦୋଷେ ମାରୁଛ ।୧୭୧।

 

ଯେବେ ରାଜା ଛାମୁରେ ଏ ପଡ଼ିବ

ଘର ସମ୍ପଦ ଦଣ୍ଡକେ ବୁଡ଼ିବ ।୧୭୨।

 

ଶାଶୁ କହିବାକୁ କିଛି ନଇଲା

ମୁଁ ଗୋ ନ ଜାଣିଲି ବୋଲି ବୋଇଲା ।୧୭୩।

 

ଭଣଞ୍ଜାର ବନ୍ଧନ ଫିଟାଇଲା

ହାତ ଓଠ ଧରି ବୋଧି ବୋଇଲା ।୧୭୪।

 

ମାଆ ଆଗେ ନ କହିବୁ ବୋଇଲା

ମତେ ବହୁତ ବିନୟ ହୋଇଲା ।୧୭୫।

 

ଗଲେ ସମସ୍ତେ ଯେ ଯାହା ପୁରକୁ

କେହୁ ସରି ସେ ନନ୍ଦ କୁମରକୁ ।୧୭୬।

 

ଏତେ ପ୍ରକାରେ ତ ସ୍ନେହ କରିବ

କାହା ମନେ ଥିଲା ପୁଣି ମାରିବ ।୧୭୭।

 

ଦ୍ୱିତୀୟ ବୋଲି

 

ଏହା ଶୁଣି ବୋଲେ ଆର ଯୁବତୀ

ମୋର କଥା ଶୁଣ ଗୋ ପ୍ରାଣବତୀ ।୧।

 

ଦିନେ ଗୋଷ୍ଠେ ଛନ୍ତି ପତି ମୋହର

ବେଳ ହୋଇଲାଣି ଦେଢ଼ ପହର ।୨।

 

ମୁଁ ଗୋ ଭାତ ତୁଣ ରାନ୍ଧି ସାରିଲି

ଖରାଦିନ ଗାଧୋଇ ବାହାରିଲି ।୩।

 

ଆସି ହେଲିନି ନଈ ନିକଟରେ

ଘନଶ୍ୟାମଙ୍କୁ ଭେଟିଲି ବାଟରେ ।୪।

 

ଯଉଁ ବେଶେ ଆସୁଥିଲେ ବନରୁ

ଏତେବେଳେ ଯାଇନାହିଁ ମନରୁ ।୫।

 

ପଦ୍ମ ଚରଣେ କଠାଉ ମାଡ଼ିଛି

ରତ୍ନ ନପୁରହିଁ ପାଦେ ଜଡିଛି ।୬।

 

 

କଟିତଟେ ଘଣ୍ଟିମାଳ ବାନ୍ଧିଛି

ପୀତାମ୍ବର କାଛି କଛି ପିନ୍ଧିଛି ।୭।

 

ଦୁଇଭୁଜେ ସୁନାଖଡ଼ୁ ସାଜଇ

ବାହେ ଅମୂଲ୍ୟ ତାଡ଼ ବିରାଜଇ ।୮।

 

ହୃଦ ବିରାଜଇ ବାଘ ନଖରେ

ଶ୍ୱେତ କାଇଁଚ ମାଳି ତା ପାଖରେ ।୯।

 

କର୍ଣ୍ଣେ କୁଣ୍ଡଳ ଭୁବନ ମୋହନ

ଶ୍ୟାମ ଅଙ୍ଗରେ ଚନ୍ଦନ ବହନ ।୧୦।

 

ପୂରି ଉଠୁଛି ତାମ୍ବୁଳ କଳରେ

ଚୂର୍ଣ୍ଣ କୁନ୍ତଳ ଶୋହେ କପୋଳରେ ।୧୧।

 

ଦିଶେ ଶିରେ ଶୋଭା ଚାରୁ ଚୂଳରେ

ଗୁଞ୍ଜି ମୁଣ୍ଡମାଳ ତାଳୁ ମୂଳରେ ।୧୨।

 

ଭାଲ ପଟରେ ଚନ୍ଦନ ଟୋପିଏ

ଯାହା ଚାହିଁ ମୋହି ହେବେ ଗୋପୀଏ ।୧୩।

 

ତନୁସାଜେ ନାନା ସୁମନସରେ

ବୃନ୍ଦାବନ ଭିତରୁ ଏ ବେଶରେ ।୧୪।

 

କି କି ଗୀତ ଗାଇ ଗାଇ ଆସୁଛି

ପୁଣି ମୁରଲୀ ବଜାଇ ହସୁଛି ।୧୫।

 

ଥରେ ଥରେ ନଚାଇଣ ଭ୍ରୁଲତା

ପକାଉଛି ଉପାଡି ଧୃତିଲତା ।୧୬।

 

ଅଳ୍ପ ଅଳ୍ପ ଢାଳି ଢାଳି ଚାହୁଁଛି

ନାସା ବର୍ତ୍ତୁଳ ମୁକୁତା ମୋହୁଛି ।୧୭।

 

ଧନମଣି କହି ବୋଲି ମୁଖରେ

ଆସି ପ୍ରବେଶ ହେଲା ମୋ ପାଖରେ ।୧୮।

 

ସାପ ଗାରଡ଼ି ମନ୍ତ୍ରରେ ଯେମନ୍ତ

ତାକୁ ଦେଖି ମୁଁ ରହିଲି ତେମନ୍ତ ।୧୯।

 

ଯେଉଁ ଅଙ୍ଗକୁ ଅନାଏ ସଖିରେ

ସେହିଠାରେ ଆଖି ରହେ ଲାଖିରେ ।୨୦।

 

ତାକୁ ଚାହୁଁ ଚାହୁଁ ଦେହ ଥରିଲା

ଝାଳ ବିନ୍ଦୁ ସର୍ବାଙ୍ଗରୁ ଝରିଲା ।୨୧।

 

ରୋମ ଟାଙ୍କୁରି ରଖିଲା ଗଣ୍ଡରେ

ଶୀତେଇଲା ଜାନୁଦେଶ ଚାଣ୍ଡରେ ।୨୨।

 

ଶରେ ଶରୀର ଛାଇଲା ମଦନ

ଉଲୁସିତ ହେଲା କାମ ସଦନ ।୨୩।

 

ମାର ରସେ ମୋର ମନ ରସିଲା

ଧୃତି ଚେତନା ନାଜହିଁ ନାଶିଲା ।୨୪।

 

ମୋତେ କହିଲା ଏମନ୍ତ ବାଣୀକି

ପ୍ରାଣବନ୍ଧୁ ଯାଉଅଛୁ କେଣିକି ।୨୫।

 

ତୋର ଏକ ନ୍ତ ସମୟ ଜାଣିକି

ବିହି ଭେଟାଇଲା ମୋତେ ଆଣିକି ।୨୬।

 

ମୋତେ ରଖିବୁ ତ ଆଜ କିଣିକି

ବୀଣାବାଣୀ ଆସ ଆସ ଏଣିକି ।୨୭।

 

ଆହା ସୁହାସେ କି ହାସେ ଚାହିଁଲୁ

ଧନ ମନ ତ ମୋହର ମୋହିଲୁ ।୨୮।

 

ଅନା ଅନା କାମଦଣ୍ଡ ଦେଉଛି

ଦେହ ମୋର ଥରଥର ହେଉଛି ।୨୯।

 

ମୋତେ ଭୁଜରେ ନିବିଡ଼େ ଭିଡ଼ରେ

ଦାସଠାରେ ନିରାଶକୁ ଛାଡ଼ରେ ।୩୦।

 

ଆସି ଦେଉକିନା ସରୁ ଚୁମ୍ବନ

ବଡ଼ ଲୋଭ ହେଉଛି ମୋର ମନ ।୩୧।

 

କେହୁ ଏଥି ଧୈର୍ଯ୍ୟ ଧରି ରହନ୍ତା

କେଉଁ ଯୁବତୀ ବା ବଶ ନୁହନ୍ତା ।୩୨।

 

ମୋର ମତି ରତି ରସେ ବଳିଲା

ଦୁହିଁଙ୍କର ମନ ସୁଖେ ମିଳିଲା ।୩୩।

 

ଭାଷା ନ ଭାଙ୍ଗି କଲି ତାଙ୍କ ବୋଲ

ତାଙ୍କୁ ବୋଇଲି କହ ହେ କି ବୋଲ ।୩୪।

 

ଶୁଣି ବୋଇଲା ଆସ ଏ ବନକୁ

ବୁଲି ଦେଖିବା କୁଞ୍ଜ ସଦନକୁ ।୩୫।

 

ଦୁହେଁ ମହା ଆନନ୍ଦରେ ଚଳିଲୁଁ

ଯାଇ ବୃନ୍ଦାବନ ମଧ୍ୟେ ମିଳିଲୁ ।୩୬।

 

ଯାଉଁ ଯାଉଁ କର କରେ ଧଇଲା

ମୋର ନିବିଡ଼ ନୀବି ଫିଟାଇଲା ।୩୭।

 

ଦେଲା ଚୁମ୍ବ ମୋତେ କେତେ ମତରେ

କହି ନୁହଇ ସେ ଅଛି ଚିତ୍ତରେ ।୩୮।

 

କୁଞ୍ଜ ମଣ୍ଡପ ଉପରେ ଭୋଳରେ

ମୋତେ ଘେନି ବସିକରି କୋଳରେ ।୩୯।

 

ନାନା ବନ୍ଧେ ରତି ରସ ସାରିଲା

ଅନଙ୍ଗହିଁ ଅଙ୍ଗରୁ ପଳାଇଲା ।୪୦।

 

କେତେ କହିବି ସେ ଦିନ ଭାବକୁ

ସେ ତ କିଣି ନେଇଛି ଜୀବନକୁ ।୪୧।

 

କେତେ ଜାତିରେ ଭୁଷିଛି କରଜ

କେତେ ମରଦନ କଲା ଉରଜ ।୪୨।

 

କେତେ ରଙ୍ଗରେ ଗୋ ଅବା ଭିଡ଼ିଛି

କେତେ ଅଧର ଦଶନେ ପିଡ଼ିଛି ।୪୩।

 

କର୍ଣ୍ଣେ ରସନା ଚାଲିଛି କି ଆଶେ

ମୋତେ ସଜନୀ ସେ କହି ନ ଆସେ ।୪୪।

 

ବେଳ ଆସି ହେଲା ତିନି ପହର

ଘର ମନେ ନ ପଡ଼ିଲା ମୋହର ।୪୫।

 

ତାଙ୍କ ଚରଣ କରରେ ଧରିଛି

ଯିବି ମେଲାଣି ମାଗି ବିଚାରୁଛି ।୪୬।

 

ପିନ୍ଧି ପାରି ନାହିଁ ଭଲେ ବାସକୁ

ଖୋଷି ଦେଇଛି ଅଳପ କେଶକୁ ।୪୭।

 

ଦେହ ଅସ୍ତବ୍ୟସ୍ତ ହୋଇ ଦିଶୁଛି

ଖରତରେ ନିଶୁଆସ ଆସୁଛି ।୪୮।

 

ଏହି କାଳେ ଶାଶୁ ହେଲା ପ୍ରବେଶ

କୃଷ୍ଣ ପାଶେ ଦେଖିଲା ମୋ ଏ ବେଶ ।୪୯।

 

ଶୁଣ ରହସ୍ୟ ପରାଣ ମିତରେ

ମୁଁ ଗୋ ବୃନ୍ଦାବନ ଥିବା ଭିତରେ ।୫୦।

 

ଗୋଷ୍ଠେ ପତିକି ମୋ ସାପ ଖାଇଲା

ଗାଆଁ ଯାକ ତ ଚହଳ ହୋଇଲା ।୫୧।

 

କନ୍ଧେ ବୋହି ଆଣିଲେ ସଦନକୁ

କଲେ ବହୁତ ଊପାୟମାନଙ୍କୁ ।୫୨।

 

ଝାଡ଼ି ଝାଡ଼ି ଛାଡ଼ିଗଲେ ରାଉଳ

କେହୁ କେହୁ ଦେଖି ଦେଖି ଚାଉଳ ।୫୩।

 

ଭଲ ନୋହିବ ବୋଲି ଏ ଛାଡ଼ିଲେ

ନିଶ୍ଚେ ମଲା ମଲା ରାବ ଛାଡ଼ିଲେ ।୫୪।

 

କେହୁ ପଢ଼ଇ ଉଡ଼ାଣ ମନ୍ତର

କେତେ ଫୁଙ୍କି ଫୁଙ୍କି ହେଲେ ଅନ୍ତର ।୫୫।

 

ପୁଅ ମଲା ବୋଲି ବୁଢ଼ୀ ବୋବାଇ

ମୋତେ ଖୋଜି ଲାଗିଛି ହୋଇ ବାଇ ।୫୬।

 

ଗ୍ରାମ ପାଟଣା ନଗର ହାଟରେ

ଖୋଜି ମିଳିଲା ଆମ୍ଭ ନିକଟରେ ।୫୭।

 

ଲୁହ ପାଦଯାଏ ବହି ଯାଉଛି

ପୋଛି ପୋଛି ନୟନ ଅନାଉଛି ।୫୮।

 

କାନ୍ଦି କାନ୍ଦି ତଣ୍ଟି ବସି ଗଲାନି

ଧାଇଁ ଧାଇଁ ଆସକତ ହେଲାନି ।୫୯।

 

ମୋତେ ଅନାଇ ଆସଲୋ ବୋଇଲା

ତୋତେ ସିନା ଲୋ ମହତୀ ହୋଇଲା ।୬୦।

 

ମୋର ପୁଅକୁ ଯେ ସାପ ଖାଇଲା

ତୋର ମନକୁ ସେ କିଛି ନଇଲା ।୬୧।

 

ଆସି ମାତି ଅଛୁ ବୃନ୍ଦାବନରେ

କିଲୋ କି ବିଚାରିଛୁ କି ମନରେ ।୬୨।

 

ଦୁଇ ଚାରି ଆପଟ ଲୋ ଡକାଇ

ବାନ୍ଧି ଜଳନ୍ତା ଜୁଇରେ ପକାଇ ।୬୩।

 

ପୁଅ ସଙ୍ଗେ ଅସତୀକି ଦହିବି

ଦାଣ୍ଡେ ସତୀ ଗଲା ବୋଲି କହିବି ।୬୪।

 

ଏହି ରୂପେ ଶାଶୁ ଯହିଁ ଚଜିଲା

ମୋର ଦେହରୁ ଚେତନା ହଜିଲା ।୬୫।

 

ବେନି ନୟନରୁ ଲୁଅ ବହିଲା

କ୍ରୋଧେ ଦେହଯାକ ଥରି ଅଇଲା ।୬୬।

 

ମୋର ଏ ବେଶ ସେ କାଳେ ଅନାଇଁ

ଚଳି ବୁଢ଼ୀକି ବୋଇଲେ କହ୍ନାଇ ।୬୭।

 

ତୋର ପୁଅ ନ ମରିବ କାହିଁକି

ଚାରି ଯୁଗରେ ଧରମ ନାହିଁ କି ।୬୮।

 

ଯେଣୁ ଅଦୋଷୀକି ଦୋଷ ଦେଉଛୁ

ତେଣୁ ଏତେ ଦଶା ତୁ ଲୋ ପାଉଛୁ ।୬୯।

 

ତୋର ପୁଅଟିଏ ସିନା ମରିଛି

ୟାର ସଂସାର ଏଠାରୁ ସରୁଛି ।୭୦।

 

ତୁ କି ଜାଣୁଅଛୁ ୟାର ଆକୁଳ

ଖୋଜି ଖୋଜିକା କେତେ ନଈକୂଳ ।୭୧।

 

ମୋତେ ଏହିଠାରେ ଭେଟ ପାଇଲା

ଗୁରସ୍ତକୁ ଯାହା ସାପ ଖାଇଲା ।୭୨।

 

ତାହା କହି ମାଗୁଅଛି ଗଦକୁ

ଦେଗୁଛୁ ତ ଧରିଅଛି ପାଦକୁ ।୭୩।

 

ମୋତେ କେତେହେଁ ବିନତି ହେଲାନି

ଏବେ ଆସି ତ ଦିଖୁରି ଗଲାନି ।୭୪।

 

ଯେବେ ହାତ କାଚ ବଜ୍ର ଏହାର

ସାପ ଖାଇଲେ କି ଯିବ ତାହାର ? ।୭୫।

 

ଅଟେ ଯେବେ ଏ ସତୀ ସୁଲକ୍ଷଣୀ

ମଲା ପତି ଜୀଇବ ଏହିକ୍ଷଣୀ ।୭୬।

 

ତୁ ଯା ଅଦୋଷୀକି ଦୋଷ ଦେଉଛୁ

ସେହି ଫଳେଟି ଏମାନ ପାଉଛୁ ।୭୭।

 

ଯାହା ବୋଇଲୁ ଏହାକୁ ଦୋଚାରୀ

ଏବେ ଥାଅ ତୁ ମନରେ ବିଚାରି ।୭୮।

 

ଗଦ ପଦରୁ କି କାର୍ଯ୍ୟ ହୋଇବ

ଏହି ଛୁଇଁଲେ ପୁଅ ତୋ ଜୀଇବ ।୭୯।

 

ତେତେବେଳେ ଯାଇ ମନେ ମଣିବୁ

ସତୀ ଅସତୀ ଅବାତୁ ଜାଣିବୁ ।୮୦।

 

ଶୁଣି ଶାଶୁ ଆଚମ୍ବିତ ହୋଇଲା

ବାବୁ ସତ କହୁଛୁରେ ବୋଇଲା ।୮୧।

 

ମଝି ନଈରେ ମୋ ଭେଳା ବୁଡ଼ୁଛି

ବୃଦ୍ଧକାଳେ ପୁଅ ଆଶା ଛାଡ଼ୁଛି ।୮୨।

 

ମଲା ଲୋକ ପୁଣି ଆଉ ଜୀଇବ

ସତେ ତୋ ତୁଣ୍ଡ ସୁତୁଣ୍ଡ ହୋଇବ ।୮୩।

 

ଦଶ ପଲ ଗାଇ ବଛା ନେବୁ କି

ମୋର ପୁଅକୁ ଜୀଆଇ ଦେବୁ କି ।୮୪।

 

ଆଜଠାରୁ କିଣା ଆମ୍ଭେ ତୋହର

ଭାସିଗଲା କୁଳ ରଖ ମୋହର ।୮୫।

 

ଏତେ ବୋଲି ପାଦ ଯାଇଁ ଧଇଲା

ଉଠ ଉଠ ବାବୁ ଯିବା ବୋଇଲା ।୮୬।

 

ଶୁଣି ପୁଣିହିଁ ବୋଇଲେ ମୋହନ

ଯାଅ ବୋହୁକୁ ତୁ ଘେନି ବହନ ।୮୭।

 

ଲଗାଇଲା ମାନ୍ତ୍ରକେ ଏହା କର

ପୁଅ ଜୀଇବ ଶଂସଏ ନକର ।୮୮।

 

ଦିନେ ଏହାକୁ ଚଳିବୁ ନାହିଁଟି

ତୋର ଘରେ ଶିରୀବନ୍ତ ଏହିଟି ।୮୯।

 

ଏତେ ବୋଲି ପୁଣି ମୋତେ ଚାହିଁଲେ

ଯାଅ ଧର୍ମକୁ ସୁମରି ବୋଇଲେ ।୯୦।

 

ଶୁଣି ଶାଶୁ ମୋ ସନ୍ତୋଷ ହୋଇଲା

ହାତ ଧରି ମୋତେ ଘେନି ଅଇଲା ।୯୧।

 

ଆସି ମନ୍ଦିରେ ହୋଇଲି ପ୍ରବେଶ

ମରିଅଛି ଦେଖିଲି କାନ୍ତବେଶ ।୯୨।

 

ମୁଖୁଁ ଗରଳ ଯେ ବହି ଯାଇଛି

ଦୁଇ ଆଖିତରାଟି ଅନାଇଛି ।୯୩।

 

ଦଶ ଦ୍ୱାରଯାକ ନାହିଁ ପବନ

ତୁଣ୍ଡବାଟେ ଛାଡ଼ିଅଛି ଜୀବନ ।୯୪।

 

ସବୁଲୋକେ ଶୋକେ ଡ଼କା ପାଡ଼ନ୍ତି

ଖଟ ଦଉଡ଼ିମାନ ସଜାଡ଼ନ୍ତି ।୯୫।

 

ଏହିକାଳେ ଶାଶୁ ଏହା କହିଲା

କାହାରି ମନେ ପରତେ ନଇଲା ।୯୬।

 

ମୁଁ ଗୋ କୃଷ୍ଣଚନ୍ଦ୍ର ରୂପ ଧ୍ୟାଇଲି

କାନ୍ତ ଦେହରେ ହାତ ପକାଇଲି ।୯୭।

 

ସେହିକ୍ଷଣି ପତି ଉଠି ବସିଲେ

ଆଖି ମଳି ମୋତେ ଚାହିଁ ହସିଲେ ।୯୮।

 

ଶୋଇଥିଲାଠାରୁ ଉଠି ଯେମନ୍ତ

ମୋତେ ପରତେ ଲାଗିଲା ତେମନ୍ତ ।୯୯।

 

ସବୁ କଥାମାନ ପତି ଶୁଣିଲେ

ମୋର ସତୀ ପଣ ସର୍ବେ ଜାଣିଲେ ।୧୦୦।

 

ତୁମ୍ଭେ ମାନ୍ତ୍ର କଥାଏ ଜାଣିଥିବ

ଏତେ ରୂପେ କି ଆଉ ଜାଣିଥିବ ।୧୦୧।

 

କୃଷ୍ଣ ପୀରତି କଲା ଭରସାଏ

କେହି ବୋଲି ନପାରିଲେ ଭାଷାଏ ।୧୦୨।

 

ଏବେ ହୋଇଲାଠାରେ ସେ ଅନ୍ତର

ଆଉ କରିବା ଗୋ କେଉଁ ମନ୍ତର ।୧୦୩।

 

Unknown

ତୃତୀୟ ବୋଲି

 

ଏହା ଶୁଣି ଆର ସଖୀ କହଇ

ଶୁଣ ମୋ କଥା ସାମାନ୍ୟ ନୁହଇ ।୧।

 

ମୋତେ କଲା କି କୁହୁକ ମନ୍ତର

ମନ ନୋହିଲା ତାଠାରୁ ଅନ୍ତର ।୨।

 

ସଦା ଦେଖୁଥିବି ଚାରୁ ମୂରତି

ରଙ୍ଗେ କରିବି ତାସଙ୍ଗେ ସୁରତି ।୩।

 

ଏହି କଥାରେ ଶରଧା ବଳିଲା

କାମ ଅନଳହିଁ ଦେହେ ଜଳିଲା ।୪।

 

ଯେଣେ ଚାହିଁଲେ ତା ରୂପ ଦିଶଇ

କଥା କହିଲେ ତା ନାମ ଆସଇ ।୫।

 

ଆନ ନ ଦିଶିଲା ଆଉ ନୟନେ

ସପନେହେଁ ଦିଶିଲା ସେ ଶୟନେ ।୬।

 

 

ସ୍ୱାଦୁ ଅଶନ ହିଁ ପିତା ଲାଗିଲା

ଘର ପୀରତିରୁ ମନ ଭାଗିଲା ।୭।

 

ଦର ସସ୍ମିତର ତାଙ୍କ ଚାହାଣୀ

ଏକା ସୁମରି ମନ ହୁଏ ହାଣି ।୮।

 

ମୋର ନାୟକ ତ ବଡ଼ ଦୁର୍ଜନ

ଏଥି ଉତ୍ତାରେ ଶାଶୁର ତର୍ଜନ ।୯।

 

ମୋର ଯହୁଁ ନଣନ୍ଦ କୁନ୍ଦ ବୋଲି

ତୁଚ୍ଛା କଥାରେ କରେ ବୋଲା ବୋଲି ।୧୦।

 

ଛାଇ ଜଗି କରିଥାଇ ଆକଟ

ଏଣୁ ହେଲା ମୋତେ ମହା ସଙ୍କଟ ।୧୧।

 

ଥାଉ ଆଉ ଅଙ୍ଗ ସଙ୍ଗ ପୀରତି

ସ୍ୱପ୍ନ ହେଲା ଦେଖିବାକୁ ମୂରତି ।୧୨।

 

ଦିନେ ଆଣି ଯାଉଥିଲି ପାଣିକି

ବାଟେ ଦେଖିଲି ମୁରଲୀପାଣିକି ।୧୩।

 

କେଣେ କେହି ନାହାନ୍ତି ଅନାଇଲି

ତାର ନିକଟରେ ଯାଇ ହୋଇଲି ।୧୪।

 

ମୋତେ ଦେଖି ମନ୍ଦେ ମନ୍ଦେ ହସିଲା

ଆଜ କି ଭାଗ୍ୟ ମୋହର ଭାଷିଲା ।୧୫।

 

ରଙ୍କ ଆଗେ କେ ରତନ ରଖିଲା

ସ୍ୱାଦୁ ଅଶନ ତ ଭୋଖୀ ଦେଖିଲା ।୧୬।

 

ଭଲ ଯୋଗେ ପାହିଥିଲା ରଜନୀ

ତୋତେ ଭେଟିଲି ଯା ଆଜ ସଜନୀ ।୧୭।

 

ଥରେ ନ ଦେଖାଉ ଚନ୍ଦ୍ରବଦନ

କେତେ ସହିବି ମଦନ କଦନ ।୧୮।

 

ଯେବେ ନ ପାଇବି ତୋର ସୁରତି

ରତିପତି ପକାଇବ କରତି ।୧୯।

 

ଏହିମତି ମୋତେ କେତେ କହିଲା

ପାଦ ନ ଚଳି ସ୍ଥକିତେ ରହିଲା ।୨୦।

 

ଏଣେ ତନୁଟି ତରଳି ଗଲାନି

ବାମଦେବ-ପର ବାମ ହେଲାନି ।୨୧।

 

ମହା ଆନନ୍ଦେ ପୁଲକ ହେଉଛି

ଭୁଜ ଭିଡ଼ିବା ଭଙ୍ଗିକି ଚାହୁଁଛି ।୨୨।

 

ଚାରୁ ଚୁମ୍ବ ମଣ୍ଡିବାକୁ ମୁଖରେ

ଓଷ୍ଠ ଉତ୍ସୁକ ହେଉଛି ସୁଖରେ ।୨୩।

 

ଚାହୁଁ ଚାହୁଁ ଅତି ଛନ୍ନ ହୋଇଲି

ଦର ଦର ହସି ତାଙ୍କୁ ବୋଇଲି ।୨୪।

 

କେହି କରିବିଟି ତୁମ୍ଭ ପୀରତି

ମୋତେ କହ ହେ ମୋହନ ମୂରତି ।୨୫।

 

କହୁଁ କହୁଁ ମୁଁ ଏମନ୍ତ ବାଣୀକି

ସଖୀମାନେ ଯେ ଅଇଲେ ପାଣିକି ।୨୬।

 

ତାଙ୍କ କଥା କୁହା କୁହି ଶବଦ

କିଛି ଦୂରେ ଶୁଣି ହେଲି ତବଦ ।୨୭।

 

ଭଏ ଯିବାକୁ ବାହାର ହୋଇଲି

ମୁଁ ହେ ମେଲାଣି ହେଲିଟି ବୋଇଲି ।୨୮।

 

କୁନ୍ଦ ମନ୍ଦା ଗୋଟିଏ ଶ୍ରୀକରରେ

ଧରିଥିଲେ ସେ ସୁସ୍ନେହ ଭରରେ ।୨୯।

 

ମୋତେ ଦେଇ ତା ବୋଇଲେ ମୁକୁନ୍ଦ

ଆଜ ହେଲଇଁ ତୋର ମୋର କୁନ୍ଦ ।୩୦।

 

ମୋତେ ସରାଗେ ଅନାଇଁ ଅନାଇଁ

ଗଲେ ବୃନ୍ଦାବନ ଆଡ଼େ କହ୍ନାଇଁ ।୩୧।

 

ମୁଁ ଗୋ ନଈତୁଠେ ଆସି ମିଳିଲି

ପାଣି ଘେନି ମନ୍ଦିରକୁ ଚଳିଲି ।୩୨।

 

ସେହି ଦିନୁ ହେଲି ବାଇ ପରାଏ

ଦଣ୍ଡେ ମନୁ ନ ଗଲେ ବ୍ରଜରାଏ ।୩୩।

 

ବେଳୁ ବେଳ ଚିନ୍ତା ଜ୍ୱର ଘୋଟିଲା

ନାନା ସୁଖହିଁ ମନରୁ ତୁଟିଲା ।୩୪।

 

ବିଷ ପରାଏ ହୋଇଲା ଆହାର

ଏଥି ଥିବ ଆଉ କଉଁ ବେହାର ।୩୫।

 

କାମ ବେଦନା ହୋଇଲା ପ୍ରବଳ

ଦିନୁ ଦିନୁ ତନୁ ହେଲା ଦୁର୍ବଳ ।୩୬।

 

ସର୍ବେ ବ୍ୟାଧି ହେଲା ବୋଲି ବିଚାରି

କରୁ ଥାଆନ୍ତି ଉପାୟ ପଚାରି ।୩୭।

 

ଏଥି ଭିତରେ ଗଲା କେତେ ଦିନ

କାମ ଶରେ ମୁଁ ହୋଇବାରୁ ଦିନ ।୩୮।

 

ଲେଖା ଲେଖିଲି କେତକୀ ପତରେ

କୃଷ୍ଣଠାକୁ ଦେଲି ଦୂତୀ ହାତରେ ।୩୯।

 

କି କି କରି ତା ଲେଖିବା କାଳରେ

ମୋର ପତି ଦେଖିଥିଲା ଡୋଳରେ ।୪୦।

 

ତାହା ଗୁପତେ ଦେଲି ମୁଁ ଦୂତୀକି

ସବୁ ଗୋଚର ହେଲା ଯେ ପତିକି ।୪୧।

 

ଆସି ମୋହର ନିକଟେ ହୋଇଲା

ତମ ତମ ହୋଇ ଚଳି ବୋଇଲା ।୪୨।

 

କିଲୋ କି ହାଲ ମୋ ଘରେ କରୁଛୁ

ମୁହିଁ ମଲି କି ମନେ ବିଚାରୁଛୁ ।୪୩।

 

ଲାଜ ଭୟକୁ କିଛି ନ ବିଚାରି

ମୋର କୁଳରେ ହୋଇଲୁ ଦୋଚାରୀ ।୪୪।

 

ଚାହୁଁ ଚାହୁଁ ପ୍ରାଣ ନେବି ମୁହିଁଟି

ସ୍ତିରୀ ହତ୍ୟାକୁ ବିଚାର ନାହିଁଟି ।୪୫।

 

କାହାଠାକୁ ଲେଖିଅଛୁ ପତର

ମୋତେ ଭୟ ନାହିଁ ଲବେ ମାତର ।୪୬।

 

ମୁଁ ଯେ ସବୁ ଏହା ମନେ ରଖିଛି

ଯାହା ହାତେ ଲେଖା ଦେଲୁ ଦେଖିଛି ।୪୭।

 

ଶୁଣି ତା ବାଣୀ ତାଟକା ହୋଇଲି

କି ଗୋ କି ମହାପାପ ଏ ବୋଇଲି ।୪୮।

 

ମୁଁ ଶୋଇବାଠାରୁ ଉଠି ଆସିଛି

ଏହିଠାରେ ଆଶକତେ ବସିଛି ।୪୯।

 

ତେଣୁ ଘର ପଡ଼ଶୁଣି ଅଇଲା

ଦେହ ଭଲ ହେଲା କି ଗୋ ବୋଇଲା ।୫୦।

 

ସେ ଗୋ ଗଲା ବସି ମୋର ପାଶରେ

ତୁଚ୍ଛା ଗଞ୍ଜି ମାରୁଛ ଅଦୋଷରେ ।୫୧।

 

ଏହା ଶୁଣି ପରତେ ନ ପାଇଲା

ରହ ଜାଣିବା ଯେ ବୋଲି ବୋଇଲା ।୫୨।

 

ମୋହ ପାଶରୁ ଚଳିଲା ବେଗରେ

ଖୋଜି ଖୋଜି ହେଲା କୃଷ୍ଣ ଆଗରେ ।୫୩।

 

ସେହିଠାରେ ସେ ଦେଖିଲା ଦୂତୀକି

କୃଷ୍ଣ ପଢ଼ୁଛନ୍ତି ବସି ପନ୍ତ୍ରିକି ।୫୪।

 

ଚଳି ଦୂତୀକି ବହୁତ ବୋଇଲା

କୃଷ୍ଣଜନ୍ଦ୍ରଙ୍କୁହିଁ ଚଳି ହୋଇଲା ।୫୫।

 

ତୁହି ଗୋପରେ ହୋଇଛୁ ନାଗର

ଆଜ ପଡ଼ୁ କଂସ ରାଜା ଆଗର ।୫୬।

 

ଲେଖ ଭାଷା ଅର୍ଥ ଘେନି ମତିକି

କୃଷ୍ଣ ଦେଲେ ସେ ଚିଟାଉ ପତିକି ।୫୭।

 

ବୋଲେ ତୁନି ହୁଅ ଥାଉ ମହତ

କଥା ନ ବୁଝି ଗରଜି ହୁଅ ତ ।୫୮।

 

ଯୁବା ଭଉଣୀ ସାଇତି ଘରରେ

ଭଲା ଅଛ ତୁମ୍ଭେ ଦାଣ୍ଡ ଗାରରେ ।୫୯।

 

ଏବେ ତୁନି ହୋଇ ଯାଅ ଲେଉଟି

ଘରେ ଯାଇ ପଢ଼ିବ ଚିଟାଉ ଟି ।୬୦।

 

ଆମ୍ଭେ ହେଲାକୁ ରହିଲା ବେଭାର

ଏବେ ରଖ ଭଉଣୀ ଲାଜ ଭାର ।୬୧।

 

ଶୁଣି ମୋ ପତି ଚକିତ ହୋଇଲେ

ଲେଖ ଘେନି ଘରଠାକୁ ଅଇଲେ ।୬୨।

 

ସତ ହୋଇ ଯାଇ ନାହିଁ ପରତେ

ଆସି ହୋଇଲେ ମୋହର ପୁରତେ ।୬୩।

 

ଲେଖ ଚିହ୍ନି ବୁଡ଼ିଲା ମୋ ଗିଆନ

ଧର୍ମ ଦେବଙ୍କୁ କରୁଛି ଧିଆନ ।୬୪।

 

ଦାଣ୍ଡୁ ନାଏକ ପୁଅକୁ ରାଇଲା

ମାଆ ଆସ ଲୋ ଏଠାକୁ ବୋଇଲା ।୬୫।

 

ମାଆ ପୁଅ ତାକୁ ଘେନି ବସିଲେ

ବାବୁ ପଢ଼ ଏ ପତର ଭାଷିଲେ ।୬୬।

 

ଧରି ଜଉତିଷ ପୁଅ ପତର

ଶୁଣ ପଢ଼ିଲା ଗୋ ଯଉଁ ଉତ୍ତର ।୬୭।

 

କୃଷ୍ଣ ଚରଣରେ ଚିତ୍ତ ରଖୁଛି

ଲେଖ ମୁକୁନ୍ଦ ଛାମୁକୁ ଲେଖୁଛି ।୬୮।

 

ଆହେ ମାନସ ମୋହନ ସ୍ୱରୂପ

ଆହେ ନୀଳ ଜଳଦ ଚାରୁ ରୂପ ।୬୯।

 

ଆହେ ରସିକମାନଙ୍କ ମଣ୍ଡନ

ଯୁବା ଯୁବତୀ ଧୃତି ବିଖଣ୍ଡନ ।୭୦।

 

ଆହେ ପୀତ ବସନ ବେଣୁଧର

ଆହେ ତରୁଣ ଅରୁଣ ଅଧର ।୭୧।

 

ଆହେ ବୃନ୍ଦାବନ କୁଞ୍ଜ ବିହାରୀ

ଶୁଣ କିନା କିଣାଜନ ଗୁହାରି ।୭୨।

 

କଉଁ ମନ୍ତରେ ମୋ ମନ ମୋହିଲ

ନେନ୍ତ୍ର କୋଣେ କି କି କରି ଚାହିଁଲ ।୭୩।

 

ମନ ମୋହନ ବଚନ କହିଲ

କାମ ଦହନରେ ଦେହ ଦହିଲ ।୭୪।

 

ଆଉ କରୁଣା ଚିତ୍ତେ ନ ବହିଲ

ଅତି ନିର୍ଦ୍ଦୟ ହୋଇଣ ରହିଲ ।୭୫।

 

ବୁଦ୍ଧି କିଛି ତ ଦିଶୁନାହିଁ ମୋତେ

ତୁମ୍ଭ ସଙ୍ଗ ସୁଖ ହେବ କେମନ୍ତେ ।୭୬।

 

ମୋତେ ଘରେ ତ ବହୁ ଜଗୁଆଳୀ

ପୁଣି ଜାଣି ପାରିବେ ସଙ୍ଗଆଳୀ ।୭୭।

 

କହ ଏଥି କଉଁ ବୁଦ୍ଧି କରିବି

ତୁମ୍ଭ ସଙ୍ଗ ନ ପାଇଲେ ମରିବି ।୭୮।

 

କିଛି ବୁଦ୍ଧି ଥିଲେ କହି ବିଚାରି

ନିଶ୍ଚେ ମଲାଟି ନିଜ ପରିଚାରୀ ।୭୯।

 

ଅଳପକେ ଯେବେ ହେଳା କରିବ

କୁନ୍ଦ ପଦ ଏହିଠାରୁ ସରିବ ।୮୦।

 

ତୁମ୍ଭେ କି ନ ଜାଣ ମୁଁ କି ଲେଖିବି

ନିକଟରେ ଚନ୍ଦ୍ରମୁଖ ଦେଖିବି ।୮୧।

 

ମାଗୁଅଛି ଏହା ଧରି ଚରଣ

କାମ ଦଣ୍ଡକୁ ନାହିଁନା ଶରଣ ।୮୨।

 

ଏଥି ଦୋଷ ଥିଲେ କିଛି ନ ଧର

ମାର ସାଗର ଭିତରୁ ଉଦ୍ଧର ।୮୩।

 

ଏତେ ଲେଖ ଭାଷା ପଢ଼ି ସାଇଲା

ଶୁଣି ଶାଶୁ ଶିରେ କର ମାଇଲା ।୮୪।

 

ଝିଅ କି ବୁଦ୍ଧି କଲାରେ ବୋଇଲା

ଲେଖ ନଖରେ ଚିରି ପକାଇଲା ।୮୫।

 

ମୋର ପତିହିଁ ତାଟକା ହୋଇଲେ

ମୋତେ ସଧୀର କରି ଅନାଇଲେ ।୮୬।

 

ଖରତରେ ନିଶ୍ୱାସ ପକାଇଲା

ବୋଲେ ବେଭାର ଆମ୍ଭର ସଇଲା ।୮୭।

 

ମୁଁ ଗୋ ଅତ୍ୟନ୍ତ ହରଷ ହୋଇଲି

ତାଙ୍କୁ କର୍କଶ କରିଣ ବୋଇଲି ।୮୮।

 

ଏବେ ସବୁ କଥାହିଁତ ବୁଝିଲ

ମୋର ସଙ୍ଗେ ଯେ ପହଡ଼େ ଯୁଝିଲ ।୮୯।

 

ସବୁ ଶାଶୁକୁ ବୁଝାଇ କହିଲି

ସୁଖ ସେଦିନୁ ନିର୍ଭୟହୋଇଲି ।୯୦।

 

ମୋତେ ଲବେ ହେଁ ନକରି ଆକଟ

ବୁଢ଼ୀ ନ ଛାଡ଼ଇ ଝିଅ ନିକଟ ।୯୧।

 

କୃଷ୍ଣ ଯାହା ଚଳିଥିଲେ ପତି କି

ସବୁ ପଚାରି ଜାଣିଲି ଦୂତୀକି ।୯୨।

 

କଲି ପୀରତି ସେ ଦିନୁ ମନକୁ

ଦଣ୍ଡେ ନ ଛାଡ଼ଇ ଦୁଃଖୀ ଧନକୁ ।୯୩।

 

ତେବେ ମୁକୁନ୍ଦ ସକାଶୁଁ ଜୀଇଲି

ଏବେ ଜୀବ ଧନକୁ ହରାଇଲି ।୯୪।

 

୧। କେହି = କିପରି, ୨। ତବଦ = ସ୍ତବ୍ଧ

 

ଚତୁର୍ଥ ବୋଲି

 

ଶୁଣି ଏହା ଆର ସଖୀ କହିଲା

ଶୁଣ ମତେ ଯେମନ୍ତ ବଞ୍ଚାଇଲା ।୧।

 

ଦିନେ ରଜନୀ ଦୁଇ ପ୍ରହରରେ

ଆସି ପଶିଲା ମୋହର ପୁରରେ ।୨।

 

ଶାଶୁ ଶୋଇଥିଲା ଦାଣ୍ଡ ବାଟକୁ

କିଳି ଦେଇ ସେ ଦାଣ୍ଡ କବାଟକୁ ।୩।

 

ନଣନ୍ଦହିଁ ତା ଖଞ୍ଜାରେ ଶୋଇଛି

ମୁଁ ଗୋ ମୋହ ଘରେ ନିଦ ଯାଇଛି ।୪।

 

କି କି କରି କବାଟ ଫିଟାଇଲା

ଦ୍ୱାର ମେଲା କରି ଦେଇ ଆଇଲା ।୫।

 

କଉଁରୂପେ ମନେ ଅବକଳିଲା

ମୋର ଶୋଇବା ଠାବରେ ମିଳିଲା ।୬।

 

 

ପାଶେ ଆସି ବସିଲା ମୋ ଶେଯରେ

କର ଉଶ୍ୱାସି ଦେଲା ଉରଜରେ ।୭।

 

ମୁଁ ଗୋ ସୁସୁପ୍ତିରେ ଶୋଇ ନ ଥିଲି

କି କି ସ୍ୱପନ ମାନ ଦେଖୁଥିଲି ।୮।

 

ମୋତେ ତ ବିଷମ ଡର ମାଡ଼ିଲା

ବେନି ନୟନୁ ନିଦ୍ରାହିଁ ଛାଡ଼ିଲା ।୯।

 

ତାଙ୍କ କର ନେଇ କରେ ଧଇଲି

କିଏ କହ କହ ବୋଲି କହିଲି ।୧୦।

 

ଶୁଣି ବୋଇଲା ତୋହର ଦାସରେ

ଚୋର ବୋଲି କି କରୁ ମାନସରେ ।୧୧।

 

ତାର ବଚନରୁ ଚିହ୍ନି ପାରିଲି

ଶାଶୁ ନଣନ୍ଦଙ୍କୁ ବଡ଼ ଡରିଲି ।୧୨।

 

ବୋଇଲି ହେ କାହିଁପାଇଁ ଅଇଲ

ମୋତେ କି ଦଣ୍ଡେ ଆଣି ପକାଇଲ ।୧୩।

 

ଶାଶୁ ବୁଢ଼ୀ ଯେବେ ଜାଣିପାରିବ

ଏହିକ୍ଷଣି ଯେ ଚହଳ କରିବ ।୧୪।

 

ମୋତେ ନାନାରୂପେ ଗଞ୍ଜି ମାରିବ

ତୁମ୍ଭ ମହତ୍ତ୍ୱ ହିଁ ସବୁ ସାରିବ ।୧୫।

 

ଏତେ ଦ୍ୱନ୍ଦ ନୋହୁଁ ମନମୋହନ

ତୁନି ହୋଇକରି ଯାଅ ବହନ ।୧୬।

 

ଶୁଣି ବୋଇଲା ପରାଣ ସଜନୀ

ଏ ତ ହୋଇଛି ଅନ୍ଧର ରଜନୀ ।୧୭।

 

ଶାଶୁ ବୁଢ଼ୀ ତେଣେ ଯାଇ ଶୋଇଛି

ନିଦେ ମଲା ପରା ଏକ ହୋଇଛି ।୧୮।

 

ନଣନ୍ଦର ଦେହେ ନାହିଁ ଗିଆନ

କିମ୍ପା ମନରେ ଘେନୁଅଛୁ ଆନ ।୧୯।

 

ମୋତେ ଜାଣିପାରି ନାହିଁ କିଛି ରେ

ନାନା ବୁଦ୍ଧି ମୋହଠାରେ ଅଛି ରେ ।୨୦।

 

ଆଉ ଲବେ ମାନ୍ତ୍ର ଭୟ କରନା

ମୋତେ ଦୟା କର ବରବରନା ।୨୧।

 

ଏହା କହି ସହି ମୋତେ ବୋଧିଲା

ମନ ପକ୍ଷୀ ସ୍ନେହ ଫାଶେ ବାନ୍ଧିଲା ।୨୨।

 

କାମ ଶରେ ମୋ ଚିତ୍ତ ତରାସିଲା

ଅନାୟତ୍ତେ ଶରୀର ଉଲୁସିଲା ।୨୩।

 

ମୋତେ କୋଳ ପରେ ଘେନି ବସିଲା

ଶ୍ରୀକରରେ ଉରଜ ଆଉଁସିଲା ।୨୪।

 

କି କି କରି ସ୍ନେହ ଭାଷା ଭାଷିଲା

ମୋର ଧଇର୍ଯ୍ୟ ଚେତନା ଦଂଶିଲା ।୨୫।

 

କେତେ ମତେ ଚୁମ୍ବ ଦେଇ ବସିଲା

ତୀକ୍ଷ୍‌ଣ ନଖ ମୁନ ଉରେ ଭୁଷିଲା ।୨୬।

 

ବିମ୍ବାଧରୁ ମୋର ସୁଧା ଶୋଷିଲା

କୁନ୍ଦ ଦଶନ ତହିଁରେ ଦଂଶିଲା ।୨୭।

 

କେତେ ଜାତି ସୁରତିରେ ରସିଲା

ବିପରୀତେ ପୁଣି ମୋତେ କଷିଲା ।୨୮।

 

ଇନ୍ଦ୍ର ପଦହିଁ ତୁଚ୍ଛ ଆଭାଷିଲା

ରତି ବିହୁନେ ଆନେ ନ ରସିଲା ।୨୯।

 

ମୁହିଁ ନିବିଡ଼ରେ ତାକୁ ଭିଡ଼ିଲି

ଏକ ଦେହ ପରା ହୋଇ ଜଡ଼ିଲି ।୩୦।

 

କାମ ବିକାରରେ ବଳ ହୁଡ଼ିଲା

ମୃଦୁ ଶ୍ରୀଅଙ୍ଗ କର ଯେ ପୀଡ଼ିଲା ।୩୧।

 

ମୋର ନାଗରୀପଣ ତ ଛାଡ଼ିଲା

ସେହି ବୃକ୍ଷୁଁ ଜ୍ଞାନଫଳ ଝାଡ଼ିଲା ।୩୨।

 

ଦୁହିଁଙ୍କର ସୁଖ ହେଲା ସମାନ

କାମ ପଳାଇଲା ଛାଡ଼ି ଗୁମାନ ।୩୩।

 

ଶୁଣ ଏବେ ଯେ କଥା ଉପୁଜିଲା

ମୋର ଶାଶୁ ବୁଢ଼ୀ ନିଦ ଭାଜିଲା ।୩୪।

 

କି କି କରି ସେ ତରକି ଜାଣିଲା

ଘରେ ଅଛି କେ ମନକୁ ଆଣିଲା ।୩୫।

 

ପୁଣି ଦେଖିଲା ଫିଟିଛି କବାଟ

ବିଚାରିଲା ଏ ବୁଦ୍ଧ ବହୁ ବାଟ ।୩୬।

 

ଘରେ ପୁରାଇଛି ଆଣି କାହାକୁ

କଉଁ ପରତେ ଯିବି ମୁଁ ଏହାକୁ ।୩୭।

 

ଏତେ ଭାଳି ସେ କବାଟ କିଳିଲା

ତୁନି ହୋଇ ମୋହ ଘରେ ମିଳିଲା ।୩୮।

 

ଆମ୍ଭେ ଜାଣିଛୁ କି ବୁଢ଼ୀ ଆସୁଛି

ଅନ୍ଧାରରେ ତ କିଛି ନ ଦିଶୁଛି ।୩୯।

 

ରତି ରସରେ ତୋଷ କରି ମନ

ତାଙ୍କ ମୁଖରେ ଦିଅନ୍ତେ ଚୁମ୍ବନ ।୪୦।

 

ବୁଢ଼ୀ ଜାଣି ତା କତିରେ ହେଲାନି

ଧରି ପାରିବା ମନହିଁ କଲାନି ।୪୧।

 

କାହୁଁ କାହୁଁ ତାହା କାହ୍ନୁ ଜାଣିଲେ

ମୋତେ ତୁନି କରି ୟେତେ ଭଣିଲେ ।୪୨।

 

ଶାଶୁ ତୋହର ପାଶରେ ହୋଇଲେ

ମୋତେ ଛାଡ଼ି ସେ ପଳାଇ ଅଇଲେ ।୪୩।

 

ବୁଢ଼ୀ ଯାଇଁ ମୋର କର ଧଇଲା

ଭଲା ଭଲା ଲୋ ଜାଣିବା ବୋଇଲା ।୪୪।

 

ମୋତେ ଆଖି ଥାଉଁ କଲୁ ଜଳକୀ

ଚାହୁଁ ଚାହୁଁ ଲଗାଉଛୁ ଭେଳିକି ।୪୫।

 

ଦେବି ଡେଙ୍ଗୁରା ଯେ ନାକ କଟାଇ

ଆଜି ପାରିବୁ କି ମୋତେ ଜଟାଇ ।୪୬।

 

ତୋର ଦେହେ ଥିଲା ପୁଣି ଏ ରଙ୍ଗ

ସିଂହ ଘରେ ନଚାଉଛୁ କୁରଙ୍ଗ ।୪୭।

 

ଘରେ ପଶିଛୁ ରେ କଉଁ ନାଗର

ଆଜ ପଡ଼ିଛୁ ସିନା ମୋ ଆଗର ।୪୮।

 

ହାତକରେ ଧରି ମୋର କରକୁ

ଆର ହାତେ ଦରାଣ୍ଡୁଛି ଘରକୁ ।୪୯।

 

ଏହା ଦେଖି ମୁଁ କାତର ହୋଇଲି

ମାଏ ବାଇ ହୋଇଲକି ବୋଇଲି ।୫୦।

 

ଆଗ ବୁଝ କଉଁ ଦୋଷ ମୋହର

ତୁଚ୍ଛା କଥାରେ ନକର କହର ।୫୧।

 

ମୁଁ ତ ଏହିଠାରେ ଶେଯେ ଶୋଇଛି

ଘରୁ ବାହାରକୁ ହିଁ ନ ଯାଇଛି ।୫୨।

 

ମୂଷା ଦୁଇଟା ଚାଳୁ ବାହାରିଲେ

ଦୁହେଁ କଳି ହୋଇକରି ମିଳିଲେ ।୫୩।

 

ମୂଷଙ୍କର ଚୁଚୁକାର ଶବଦ

ବସି ଶୁଣୁଛି ହୋଇ ନିଶବଦ ।୫୪।

 

ମୋତେ ତୁଚ୍ଛା ସିନା ଦୋଷ ଦେଉଛ

ବାଇ ପରାଏ କାହିଁକି ହେଉଛ ।୫୫।

 

ପୁଣି ବୋଲେ ଲୋ ନାକକାନଖାଇ

କାହିଁ ନାଗରକୁ ଦିଅ ଦେଖାଇ ।୫୬।

 

ମୋତେ କରୁଅଛୁ ବଟାବଟିକି

କାହି ପଳାଇ ସେହୁ ଯିବଟିକି ।୫୭।

 

କିଳି ଦେଇ ଆସିଛି ଯେ କବାଟ

ଆଉ ଯିବାକୁ ଘରେ ନାହିଁ ବାଟ ।୫୮।

 

ଏତେ କହି ଛାଡ଼ିଲା ମୋ କରକୁ

ଚାଣ୍ଡେ ଗଲା ସେ ଉପର ଘରକୁ ।୫୯।

 

କୋଠାଚୁଲିରେ କୁଟାପକାଇଲା

ନିଆଁ ଜାଳି ଚଇଠା ଲଗାଇଲା ।୬୦।

 

ଘରେ ଦେଖିଲି ହୋଇଛି ଆଲୁଅ

ମୋର ନୟନେ ପୂରିଗଲା ଲୁଅ ।୬୧।

 

ନିଶ୍ଚେ କୃଷ୍ଣଚନ୍ଦ୍ର ଧରା ପଡ଼ିଲା

ଏହା ଚେତି ମୋ ଚେତନା ବୁଡ଼ିଲା ।୬୨।

 

ସେ ଗୋ ଧରା ନ ପଡ଼ିବେ ବିଚାରି

ମନାସିଲି ମୁଁ ଓଷା ଦୁଇଚାରି ।୬୩।

 

ଶୁଣ ଏ ଉତ୍ତାରୁ ଯାହା ହୋଇଲା

ଶାଶୁ ବୁଢ଼ୀ ଦୀପ ଘେନି ଅଇଲା ।୬୪।

 

ଆଗ ଶୋଇବା ଘରେ ସେ ମିଳିଲା

ଖୋଜି ଆର ଗମ୍ଭୀରିକୁ ଚଳିଲା ।୬୫।

 

ଚାହିଁଲା ଭାଡ଼ିତଳ ଉପରକୁ

ପୁଣି ଗଲା ଆର ଖଞ୍ଜା ଘରକୁ ।୬୬।

 

ମୁହିଁ ତାର ସଙ୍ଗେ ସଙ୍ଗେ ଯାଉଛି

ମୋତେ ଆଲୁଅ ଅନ୍ଧାର ଦିଶୁଛି ।୬୭।

 

ଖୋଜି ନ ଦେଖିଲା ସବୁ ଘରକୁ

ଗଲା ଝିଅ ଶୋଇଥିବା ପୁରକୁ ।୬୮।

 

କଞ୍ଚି ଘେନି କବାଟ ଫିଟାଇଲା

ତାର ଶୋଇବା ଥାନରେ ହୋଇଲା ।୬୯।

 

ମୁହିଁ ଲାଗିଛି ତା ପଛକତିରେ

ସଭୟରେ ଛନ୍ନ ଛନ୍ନ ମତିରେ ।୭୦।

 

ଶୁଣ ଏଥି ଉତ୍ତାରୁ ପ୍ରାଣମିତ

ତିନିପୁରେ ଏକଥା ଆଚମ୍ବିତ ।୭୧।

 

ଆମ୍ଭ ପଡ଼ିଶା ଗୁଆଳ ପୁଅକୁ

ଘେନି ଶୋଇଛି ଦେଖିଲୁ ଝିଅକୁ ।୭୨।

 

ନାହିଁ ବସନ ଦୁହିଁଙ୍କ ଅଙ୍ଗରେ

ଲାଗିଅଛି ଉରଜ ଉରଜରେ ।୭୩।

 

ଛନ୍ଦା ଛନ୍ଦି ଦୁହେଁ ପାଦ ପାଦକୁ

ନିଶ୍ଚିନ୍ତରେ ଯାଇଛନ୍ତି ନିଦକୁ ।୭୪।

 

ଶାଶୁ ବୁଢ଼ୀ ଯହୁଁ ଏହା ଦେଖିଲା

ଅତି କାତରେ ତା କଣ୍ଠ ଶୁଖିଲା ।୭୫।

 

କର କପାଳରେ ଦେଇ ମାରଇ

ତାଟକାରେ ତାର ତନୁ ଥରଇ ।୭୬।

 

ଏହା ଦେଖି ମୁଁ ଭରସା ପାଇଲି

ଏବେ ଦେଖିଲ ତ ବୋଲି ବୋଇଲି ।୭୭।

 

ମୋତେ ସିନା ବୋଲୁଥାଅ ଅସତୀ

ଝିଅ ଠାକୁ ତ ନାଗର ଆସନ୍ତି ।୭୮।

 

କେତେ କାହାକୁ ବାରତା ଦିଅଇ

ନିତି ଏକୁଟିଆ ହୋଇ ଶୁଅଇ ।୭୯।

 

ତୁମ୍ଭେ ଝିଅ କଥାତ ନ ବୁଝୁଛ

ତୁଚ୍ଛା କଥାରେ ମୋ ସଙ୍ଗେ ଯୁଝୁଛ ।୮୦।

 

କଉଁ ଦୋଷେ ଦିଅ ମୋତେ ଦକାକୁ

ଝିଅ ଘେନି ଶୋଇଛି ଯେ ଟୋକାକୁ ।୮୧।

 

ମୋତେ ଦଣ୍ଡିଲ ଯା ଅକାରଣରେ

ଭୋଗ କରିବ ତା ଶତେ ଗୁଣରେ ।୮୨।

 

ପୋଡ଼ି ଯାଉ କିନା ମୋର କରମ

କିରେ କେହି ସହୁଛୁରେ ଧରମ ।୮୩।

 

ସତୀମାନଙ୍କୁ ଅସତୀ କରନ୍ତି

ମିଛେ ଦୋଷ ଦେଇ ମୋତେ ମାରନ୍ତି ।୮୪।

 

ରାତି ପାହୁ ଯିବି ବାପଘରକୁ

ଆଉ ନ ମାଡ଼ିବି ଏ ଦୁଆରକୁ ।୮୫।

 

ଏହି ରୂପେ ବେଳୁ ବେଳ ଚଳିଲି

ଶାଶୁଠାରୁ ଶହେଗୁଣେ ବଳିଲି ।୮୬।

 

ତାକୁ କହିବାକୁ କିଛି ନଇଲା

ମୋତେ କୋମଳରେ ଏହା ବୋଇଲା ।୮୭।

 

ମାଆ ଦୋଷ ନ ଧର ଲୋ ମୋହିର

ହାତଧରି କହୁଅଛି ତୋହର ।୮୮।

 

ଝିଅ କଥାହିଁ କାହିଁ ନ କହିବୁ

ସେ ତ ଦୋଷ କଲା ତୁ ତା ସହିବୁ ।୮୯।

 

ଯେଣୁ ବୋଧିଲା ବହୁତ ମତରେ

ମୁଁ ଗୋ ତୁନିହେଲି ତୋଷଚିତ୍ତରେ ।୯୦।

 

ସେହିଦିନୁ ମୁଁ ଛାଡ଼ିଲି ଡରକୁ

କଲି ଜୀବନ ନନ୍ଦକୁମରକୁ ।୯୧।

 

ଏତେ ରୂପେ କରି ଅନୁରାଗରେ

ଏବେ ମେଲି ଦେଲେ ଦୁଃଖ ସାଗରେ ।୯୨।

 

ବାଟାବଟି = ଫୁସଲାଫୁସୁଲି, ଗୁଆଳ ପୁଅ = ଗାଈଆଳ, ଗାଇଚରା ପିଲା , କେହି = କିପରି , ଚଳିଲି = ଚିଡ଼ିଲି, ବିରକ୍ତି ହେଲି ।

 

ପଞ୍ଚମ ବୋଲି

 

ଶୁଣି ଆର ସଖୀ ତହୁଁ ଭାଷିଲା

ଶୁଣ ମୋ ଭୟ ଯେମନ୍ତ ନାଶିଲା ।୧।

 

ମୁଁ ଗୋ ଏଣୁ ଖାଆ ପିଅ ସାଇଲି

ଭାତ ପଖାଳି ହାଣ୍ଡିହିଁ ଧୋଇଲି ।୨।

 

ଦିନେ ଆମ୍ଭ ପାଟ ଗାଈ ନଇଲା

କାହା ଗୋଠେ ପଶି ବଣା ହୋଇଲା ।୩।

 

ପତି ତାକୁ ଖୋଜିବାକୁ ଅଇଲେ

ଦୁଇ ପହରେ ଘରକୁ ନଇଲେ ।୪।

 

କାଖେ ହାତେ ଘେନି କୁମ୍ଭ ଦୁଇକି

ପାଣି ଆଣିବାକୁ ଗଲି ନଈକି ।୫।

 

ଯାଇ ଯମୁନା ନଈରେ ହୋଇଲି

ପାଣି ଦୁଇ କୁମ୍ଭରେ ପୁରାଇଲି ।୬।

 

 

କାଖେ ମୁଣ୍ଡେ ବସାଇଲି ମାଠିଆ

ଆସି କୁଳରେ ହୋଇଲିନି ଠିଆ ।୭।

 

କାହ୍ନୁ କାହୁଁ କାହୁଁ ହେଲା ପ୍ରବେଶ

ହୋଇଅଛି ଅପୂର୍ବ ଚାରୁବେଶ ।୮।

 

ଚାରୁ ଚରଣେ ନୂପୁର ସାଜଇ

ଚାଲିବାରେ ରୁଣୁ ଝୁଣୁ ବାଜଇ ।୯।

 

କଟୀତଟେ ଶୋଭାପାଏ କିଙ୍କିଣୀ

କିଣେ ଚିତ୍ତ ସେ ବାଜି କିଣି କିଣି ।୧୦।

 

ପିନ୍ଧିଅଛି ଦିବ୍ୟ ପୀତ ବାସକୁ

ହେଳେ ମୋହୁଅଛି ସେ ମାନସକୁ ।୧୧।

 

କରେ ଅମୂଲ୍ୟ କଙ୍କଣ ଶୋହଇ

ଯାହା ଚାହିଁ ଚକ୍ଷୁଚାଳି ନୁହଇ ।୧୨।

 

ହୃଦେ ପଡିଅଛି ରତ୍ନ ପଦକ

ଯୁବା ଯୁବତୀଙ୍କ ଚିତ୍ତ ମାଦକ ।୧୩।

 

କର୍ଣ୍ଣେ ସୁବର୍ଣ୍ଣ କୁଣ୍ଡଳ ବିରାଜେ

ନିନ୍ଦା କରୁଥାଇ ଭାନୁ ତୋରା ଯେ ।୧୪।

 

ନାସେ ଚାରୁ ସିନ୍ଧୁ ଫଳ ଲୁଳୁଛି

ନୀଳ ପଦ୍ମେ ଜଳ ବିନ୍ଦୁ ଢଳୁଛି ।୧୫।

 

ଲଲାଟରେ ଗୋରଚନା ତିଳକ

ଶ୍ରୀମୁଖକୁ ଶୋଭାପାଏ ଅଳକ ।୧୬।

 

ନାନା ଫୁଲମାଳେ ତନୁ ସାଜଇ

ନବଘନ ଜିଣି ରୂପ ରାଜଇ ।୧୭।

 

ଧରି ମୋହନ ମୁରଲୀ କରରେ

ଥରେ ଥରେ ବଜାନ୍ତି ସୁସ୍ୱରରେ ।୧୮।

 

ଆସି ମୋହ ଆଗେ ଉଭା ହୋଇଲେ

ଦର ଦର ହସି ମୋତେ ବୋଇଲେ ।୧୯।

 

ଧନ କି ଯୋଗେ ଏକାଳେ ଅଇଲି

ତୋତେ ଏକାନ୍ତେ ଯା ଭେଟ ପାଇଲି ।୨୦।

 

କରିଅଛି ମୁଁ ବହୁତ ଭରସା

ମୋତେ ରତି ରସରେ ଆଜି ରସା ।୨୧।

 

ସଖି, ପାଇବାକୁ ତୋର ଚୁମ୍ବନ

ବଡ଼ ଲୋଭୀ ହୋଇଛି ମୋର ମନ ।୨୨।

 

ବିମ୍ବାଧରୁ ସୁଧାରସ ପିଆଅ

ମୋତେ ମଦନ କଦନୁଁ ଜୀଆଅ ।୨୩।

 

ଏହି ପ୍ରକାରେ ବିନତି ହୋଇଲେ

ଯାଇଁ ଚରଣ ପୁଣିହିଁ ଧଇଲେ ।୨୪।

 

ସଖୀ ସେକାଳେ ମୁଁ ତାଙ୍କୁ ଚାହିଁଲି

ଧୈର୍ଯ୍ୟ ଧରିବା ସାମର୍ଥ ନୋହିଲି ।୨୫।

 

ମୋତେ କିଛିହିଁ ବୋଲି ନ ଆସିଲା

ରୋମ ଦେହରେ ଟାଙ୍କୋରି ଆସିଲା ।୨୬।

 

ତାଙ୍କୁ ବୋଇଲି ଆହେ ବେଣୁପାଣି

ସଖୀମାନେ ଆସିବେ ନେଇ ପାଣି ।୨୭।

 

ତୁମ୍ଭପାଖେ ଯେବେ ମୋତେ ଦେଖିବେ

କଉଁ କୁଳବତୀ ମେଳେ ରଖିବେ ।୨୮।

 

ଗାଈ ଖୋଜି ଆସିଛନ୍ତି ମୋ ପତି

ଏହିବାଟେ ଆସିବେ ଶୀରିପତି ।୨୯।

 

ଶୁଣି ବୋଇଲା କି ଘେନୁ ମନକୁ

ଆସ ଆସ ଯିବା ବୃନ୍ଦାବନକୁ ।୩୦।

 

ଏତେ ବୋଲି ଧଇଲେ ମୋ ବାସକୁ

ଲଙ୍ଘି ନ ପାରି ତାହାଙ୍କ ଭାଷକୁ ।୩୧।

 

ଘେନି କାଖେ ମୁଣ୍ଡେ ସେହି କୁମ୍ଭକୁ

ତାଙ୍କ ସଙ୍ଗେ ଗଲି ହାରି ଦମ୍ଭକୁ ।୩୨।

 

ଯାଇ ବୃନ୍ଦା ବିପିନରେ ହୋଇଲି

ପାଣି ମାଠିଆକୁ ତଳେ ଥୋଇଲି ।୩୩।

 

ମୋତେ ନିବିଡ଼ରେ ଭିଡ଼ି ଭୁଜରେ

ଚୁମ୍ବ ଦେଲା ବଦନ ସରୋଜରେ ।୩୪।

 

ଭୁଷି ପ୍ରଖରତରେ କରଜରେ

ଚିହ୍ନ ଦେଲା ମୋ ବେନି ଉରଜରେ ।୩୫।

 

ଚାଳି ରସନାକୁ ପୁଣି କର୍ଣ୍ଣରେ

ଓଷ୍ଠ ରସ ପାନ କରି ପୂର୍ଣ୍ଣରେ ।୩୬।

 

ଚଉଷଠି ବନ୍ଧେ ରତି ସାଇଲା

ବିପରୀତହିଁ କେତେ ଭିଆଇଲା ।୩୭।

 

ଶ୍ରମ ଭରେ ବସି ଆସକତରେ

ବିଞ୍ଚି ଦେଲି ମୁଁ କାନି ପଣନ୍ତରେ ।୩୮।

 

ସହି ସେହି ପୁଣି ଶ୍ରମ ଭାରରେ

ଆସି ଆଉଜିଲେ ମୋର ଉରରେ ।୩୯।

 

ଶ୍ରୀମୁଖରୁ ଝାଳ ପୋଛି ଦେଉଛି

କହୁଅଛି ମୁଁ ମେଲାଣି ହେଉଛି ।୪୦।

 

ଏହି କାଳେ ପତି ପାଶେ ହୋଇଲା

ଆମ୍ଭ ଦୁଇଜଣଙ୍କୁ ଅନାଇଲା ।୪୧।

 

ଗାଈ ଖୋଜି ଖୋଜି ଦେହ ଚଳୁଛି

ଭୋକେ ପେଟ ଭିତରହିଁ ଜଳୁଛି ।୪୨।

 

ଖରା ଲାଗି ଝାଳ ଦେହୁ ଗଳୁଛି

ଅତି ଦୁର୍ବଳେ ଶରୀର ଲୁଳୁଛି ।୪୩।

 

ମୋତେ ଦେଖିବାରୁ କୃଷ୍ଣ ପାଶରେ

ଦେହ ଥରିଲା ଦିଗୁଣ ରୋଷରେ ।୪୪।

 

ଆଣ୍ଟେ କିଲୋ କି ରୀତି ଏ ବୋଇଲା

ଶୁଣି ଦେହ ଝିମି ମାରି ଅଇଲା ।୪୫।

 

ପଣନ୍ତହିଁ ହାଥୁଁ ଝଡ଼ି ପଇଲା

ମତେ କହିବାକୁ କିଛି ନଇଲା ।୪୬।

 

ଶୁଣି କୃଷ୍ଣ ଯଉଁ ବୁଦ୍ଧି ପାଞ୍ଚିଲା

ନୟନରୁ ଲୁହ ବେଗେ ମୁଞ୍ଚିଲା ।୪୭।

 

ଖରତରେ ନିଶ୍ୱାସ ପକାଇଲା

ମାମୁଁ ଥରେ ଜୀଇଲିଟି ବୋଇଲା ।୪୮।

 

ଆଉ ଦେଖିବି ମୁଁ ତୁମ୍ଭମାନଙ୍କୁ

ଥିଲା ପରତେ କି ଏ ମୋ ମନକୁ ।୪୯।

 

ବାପା ମାଆଙ୍କର ବଡ଼ କରମ

ମତେ ବେଳେ ବଞ୍ଚାଇଲା ଧରମ ।୫୦।

 

ଏଡ଼େ ବିପତ୍ତିରୁ ଜୀବ ରହିବ

ଶୁଣା ନଥିଲା ଏବେ ହିଁ ନୋହିବ ।୫୧।

 

ଶୁଝି ନ ପାରିବି ମାଇଁ ଗୁଣକୁ

ମାମୁଁ ରଖିଲେ ଏ ମୋର ପ୍ରାଣକୁ ।୫୨।

 

ଦେଖ କୋଳେ ଆଉଜାଇ ବସିଛି

କେତେ କହିବି ଯେତେ ସେ ଘସିଛି ।୫୩।

 

ମାଆ ଏତେ ହିତକାରୀ ନୁହଇ

ଆନ କଥା ଆଉ ନିକି କହଇ ।୫୪।

 

କହୁ କହୁ ଆସୁଅଛି କୋହରେ

ଲୁହ ବହି ଯାଉଅଛି ଦେହରେ ।୫୫।

 

ଶୁଣି ମୋ ପତି ତାଟକା ହୋଇଲେ

କିରେ କହ କହ ବାବୁ ବୋଇଲେ ।୫୬।

 

ଆସି ବସିଲେ ତାହାର ପାଖକୁ

ଦେଲେ ପଣନ୍ତରେ ପୋଛି ମୁକକୁ ।୫୭।

 

ତାଙ୍କ ଚରଣ କରରେ ଧଇଲା

ଶୁଣ ମାମୁଁ ମୁଁ କହଇ ବୋଇଲା ।୫୮।

 

ଦାମ ସୁଦାମ ମୁଁ ବନମାଳୀକି

ଘେନି ଖେଳୁଥିଲି ଲୁଚକାଳିକି ।୫୯।

 

ଲୁଚି ପଶିବି ତ କଣ୍ଟା ଖୁଞ୍ଚରେ

ଚିରିଯିବ ସିନା ଏହି ପାଞ୍ଚରେ ।୬୦।

 

ମୋର ବେଢ଼ାଣ ପୀତ ଦୂକୁଳକୁ

କାଢ଼ି ଥୋଇଲି କଦମ୍ବ ମୂଳକୁ ।୬୧।

 

ତାଙ୍କ ଚାରିଙ୍କି ଲୁଚିବା ପାଇଲା

ଏଣୁ ଖେଜିବା ପାଳି ମୋ ହୋଇଲା ।୬୨।

 

ସେ ଯେ ଲୁଚିଲେ ମୁଁ ତାଙ୍କୁ ଖୋଜିଲି

ପାଶେ ଲୁଚି ଅଛନ୍ତି ନ ହେଜିଲି ।୬୩।

 

ଖୋଜି ଖୋଜି ମୁଁ ଦୂରକୁ ଯାଉଛି

ଦେଖି ନ ପାଇ ବିରସ ହଉଛି ।୬୪।

 

ଏହି ସମୟେ ଚାରିହେଁ ଅଇଲେ

ମୋର ପୀତ ବେଢ଼ାଣକୁ ଧଇଲେ ।୬୫।

 

ଚଢ଼ି ବାନ୍ଧିଲେ କଦମ୍ବ ଉପରେ

ଘରମାନଙ୍କୁ ଗଲେ ତତପରେ ।୬୬।

 

ମୁଁ ଯେ ବନଯାକ ବୁଲି ଅଇଲି

କାହିଁ ତାହାଙ୍କ ଭେଟ ନ ପାଇଲି ।୬୭।

 

ବୁଲି ବୁଲି ଏହିଠାରେ ହୋଇଲି

ପୀତବସନ ନାହିଁ ଅନାଇଲି ।୬୮।

 

ମୋର ଚେତା ସେହିଲାଗେ ବୁଡିଲା

ମାଆ ମାରିବାକୁ ଡର ମାଡ଼ିଲା ।୬୯।

 

ତାଙ୍କୁ ଡାକିଲି ଅତି ଆରତରେ

ଡାକ ନ ଶୁଣିଲେ କଦାଚିତରେ ।୭୦।

 

ବାସ ଦେଖିଲି କଦମ୍ବ ଅଗରେ

କେହି ନ ଥିଲେ ତ ବନ ଭାଗରେ ।୭୧।

 

ଏଣୁ ଚଢ଼ିଲି ବୃକ୍ଷ ଉପରକୁ

ଯାଇଁ ଫିଟାଇଲି ସେ ଅମ୍ବରକୁ ।୭୨।

 

ଡାହି ଭାଙ୍ଗି ପଡ଼ିଲା ସେ କାଳରେ

ପଡ଼ିଗଲି ମୁହିଁ ଏହି ତଳରେ ।୭୩।

 

ଗଛୁଁ ପଡ଼ିବାର ଅଛି ମନରେ

ସେହିଠାରୁ ପଡ଼ିଛି ଅଜ୍ଞାନରେ ।୭୪।

 

ଏ ଉତ୍ତାରୁ ପୁଣି କେତେ ବେଳରେ

ମୋର ପୂର୍ବ ଜନ୍ମ କର୍ମ ବଳରେ ।୭୫।

 

ମାଇଁ ତୁମ୍ଭଙ୍କୁ ଯେ ଖୋଜି ଅଇଲେ

ଆସି କି ଯୋଗେ ମୋ ପାଶେ ହୋଇଲେ ।୭୬।

 

ଅଣ ଆୟତରେ ମୁଁ ଯେ ପଡ଼ିଛି

ଏଣୁ ଚିଆଁ ଚଇତନ ବୁଡ଼ିଛି ।୭୭।

 

ମୋତେ ଦୁଇ ଭୁଜେ ଧରି ଟେକିଲେ

କୋଳେ ଧରି ନାକ କାନ ଫୁଙ୍କିଲେ ।୭୮।

 

ପାଣି ସିଞ୍ଚି ପୁଣି ଦେଲେ ପିଆଇ

ତେତେବେଳେ ମୁଁ ଉଠିଲି ଚିଆଁଇ ।୭୯।

 

ମାମୁଁ ସେ କାଳୁଁ ଦେହ ମୋ ଥରୁଛି

ମାଇଁ କୋଳୁଁ ପଡ଼ିବାକୁ ଡରୁଛି ।୮୦।

 

ଭାଙ୍ଗି ଯାଇଅଛି ହାଡ଼ଯାକ ତ

ଶୋଇ ହେବାକୁ ହିଁ ନାହିଁ ଶକତ ।୮୧।

 

ମାଇଁ ଓଟାରି ମୋ ହାତ ଗୋଡ଼କୁ

ଦେଲେ ସଳଖି ଖସିଲା ହାଡ଼କୁ ।୮୨।

 

କେତେ କେତେ ବେଳୁଁ ଅବା ଘସିଛି

ଏତେବେଳେ କୋଳେ ଘେନି ବସିଛି ।୮୩।

 

ମାମୁଁ ନିଶ୍ଚେ ମୋ ପ୍ରାଣ ଯାଇଥାନ୍ତା

ମାଇଁ ଯେବେଟି ଆସି ନ ଥାଆନ୍ତା ।୮୪।

 

ତୁମ୍ଭମାନଙ୍କ କଲ୍ୟାଣୁଁ ଜୀଇଲି

ଆଜୁଁ ମାଇଁଙ୍କର କିଣା ହୋଇଲି ।୮୫।

 

ମାଇଁ ଯାହା କଲେ ମନ ଜାଣିଛି

ଯେତେ ଆହୁରି ମନକୁ ଆଣିଛି ।୮୬।

 

ଏହା ଶୁଣି ପତି ଛନ୍ନ ହୋଇଲେ

ବାବୁ କି କରିଥିଲୁ ରେ ବୋଇଲେ ।୮୭।

 

ବୁଡ଼ି ଯାଇଥିଲା ନନ୍ଦ ସମ୍ପଦ

ଥିଲା ଆଉ କି ତୋର କର ପଦ ।୮୮।

 

ଏତେ କହି ମୋ କୋଳରୁ ତୋଳିଲେ

କି କି ମନ୍ତ୍ର ପଢ଼ି ଦେହ କିଳିଲେ ।୮୯।

 

ଘରଠାରୁ ତାକୁ ଘେନି ଅଇଲେ

ଦୁଧ ଭାତ ଏକା ସାଙ୍ଗେ ଖାଇଲେ ।୯୦।

 

କୃଷ୍ଣଚନ୍ଦ୍ର ଗଲେ ତାଙ୍କ ଘରକୁ

ଇଚ୍ଛା ବେଳେ ଆସନ୍ତି ମୋ ପୁରକୁ ।୯୧।

 

ଏହିରୂପରେ ମୋ ସଙ୍ଗେ ପୀରତି

କାହିଁ ଛାଡ଼ିଗଲେ ଚାରୁ ମୂରତି ।୯୨।

 

ଷଷ୍ଠ ବୋଲି

 

ଏହା ଶୁଣି ଆର ସଖୀ କହଇ

ଶୁଣ ସଜନୀ ଯେ କଥା କହଇ ।୧।

 

ତାର ଗୁଣ କି କହିଲେ ସରିବ

ତୁମ୍ଭ ମନେ କେତେ କଳି ପାରିବ ।୨।

 

ତାର ପୀରତି ସିନା ମୁଁ ଜାଣିଛି

ପ୍ରାଣୁ ଅଧିକ ମୋର ସେ ମଣିଛି ।୩।

 

କହିଲେ କେହୁ ତା ସତ କରିବ

କହୁଁ କହୁଁ ନିଶ୍ଚେ ମତେ ମାରିବ ।୪।

 

ଯଉଁ ଦିନ ସେ ଜନମ ହୋଇଛି

ଶୁଣ ଯଉଁ ଆସେ ସହି ଧାଇଁଛି ।୫।

 

ନନ୍ଦ ରୀଜାର ତ ପୁଅ ନୋହିଲା

ବାଳ ପାଚିବା କାଳହିଁ ହୋଇଲା ।୬।

 

 

ଯଶୋବନ୍ତୀ ତ ଦୁଃଖ କରୁଥାଇ

କାହିଁରେ ସୁଖ ଶରଧା ନଥାଇ ।୭।

 

ଦଇବେ ଗର୍ଭ ତାହାର ଉଦୟ

ଅତି ଆନନ୍ଦ ମୋହର ହୃଦୟ ।୮।

 

ନ୍ତ୍ରମେ ଦିନ ଗଲା ବହି ଏଥିରେ

ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ।୯।

 

ନନ୍ଦର ପୁଅ ହେଲା କେ ବୋଇଲା

ଏଣୁ ମୋର ବୁକୁ କୁଣ୍ଢେ ହୋଇଲା ।୧୦।

 

ରାନ୍ତ୍ର ପହର ଅଢ଼ାଇ ହୋଇଛି

ଦଣ୍ଡେ ନ ଛାଡ଼ି ଝଡ଼ି ଲଗାଇଛି ।୧୧।

 

ହୋଇଅଛି ତ ଅନ୍ଧାର ରଜନୀ

ଚିହ୍ନ ବର୍ଣ୍ଣ ଦିଶୁ ନାହିଁ ସଜନୀ ।୧୨।

 

ଅତି ପ୍ରବଳରେ ଜଳ ବରଷେ

ମେଘ ଗରଜଇ ଉତୁକରଷେ ।୧୩।

 

ଦଶ ଦିଶେ ବିଜୁଳି ଜଟକନ୍ତି

ଭେଟ କୁକୁଟ ଡାହୁକେ ରଟନ୍ତି ।୧୪।

 

ଭୂମି ଦିଶୁ ନାହିଁ କୁଆପଥରେ

କେତେବେଳେ ବା ଯିବ କେ ପଥରେ ।୧୫।

 

କାନ ପାଖେ ଶୁଭୁ ନାହିଁ ବଚନ

ଥିଲେ ନ ଥିଲା ହୋଇଛି ଲୋଚନ ।୧୬।

 

କାମୀ ଲୋକକୁ ଦେଉଛି ମୁକତି

କେ ଛାଡ଼ିବ ସେ କାଳେ ପତି କତି ।୧୭।

 

ଖାଇଅଛି ମୋ ନାୟକ ଅମଳ

ଘାରି ହେଉଛି ନୟନ କମଳ ।୧୮।

 

ମହା ଉନ୍ମତ୍ତରେ ମୋହ ସଙ୍ଗରେ

ମାତି ଅଛନ୍ତି ଅନଙ୍ଗ ରଙ୍ଗରେ ।୧୯।

 

କରି ଦୟିନୀ ଚାକର ପରାଇ

ମୋତେ ବିପରୀତ ସେହି କରାଇ ।୨୦।

 

ସେହି ବନ୍ଧରେ ଅଛନ୍ତି ବସାଇ

ଉର ଉରଜ ରସରେ ମିଶାଇ ।୨୧।

 

ଇନ୍ଦ୍ର ସୁଖ ମନକୁ ନ ପାଉଛି

ମୋର ମନ ଭାରି ଛନ୍ନ ହେଉଛି ।୨୨।

 

ଯୋକ ନାଗିଥିଲେ ଅଣ ଆଦରେ

ଫିଙ୍ଗିଦେଇ ଯେହ୍ନେ ଅଣଆଦରେ ।୨୩।

 

ସେହିରୂପେ କର ପାଦ ସିଞ୍ଚାଡ଼ି

ଧରୁଁ ଧରୁଁ ଅଇଲି ତାଙ୍କୁ ଛାଡ଼ି ।୨୪।

 

ଦେହେ ଲୁଗା ପୁରେ ମାନ୍ତ୍ର ବେଢ଼ାଇ

ଧାଇଁଅଛି ପତି ଛନ୍ତି ଗୋଡ଼ାଇ ।୨୫।

 

ପତି ଲେଉଟି ଅଇଲେ ଅନ୍ଧାରେ

ପଶିଗଲି ମୁଁ ଯେମନ୍ତ ଅନ୍ଧାରେ ।୨୬।

 

କଣ୍ଟା ଖୁଞ୍ଚ ଅବା ଯେତେ ମାଡ଼ିଛି

ଝୁଣ୍ଟି ପଡ଼ି ଆଣ୍ଠୁ ଗଣ୍ଠି ଛିଡ଼ିଛି ।୨୭।

 

କିଛି ବାଧୁନାହିଁ ସେ ମୋ ମନକୁ

ଧାଏଁ ଦେଖିବାକୁ ଦୁଖୀଧନକୁ ।୨୮।

 

କଷ୍ଟେ ଯାଇ ନନ୍ଦପୁରେ ହୋଇଲି

ପଦ୍ମମୁଖ ଦରଶନ ପାଇଲି ।୨୯।

 

ସେହି ଦିନ ଯେଉଁ ସୁଖ ହୋଇଲା

ସହି କହିବାକୁ ସେ ତ ନଇଲା ।୩୦।

 

ମୋତେ ମୋହିଲା ଚାହିଁବା ମାତରେ

ସେହିଦିନୁଁ ପଶିଲା ଯେ ଚିତ୍ତରେ ।୩୧।

 

ବଢ଼ି ଅଇଲା ଯେ ଦିନୁ ଦିନକୁ

ସେହିରୂପେ ମୋହିଲା ମୋ ମନକୁ ।୩୨।

 

କହୁଁ କହୁଁ ଆସି ହେଲା ବରଷେ

ମତେ ଠାରି ଅନାଇଲା ବିରସେ ।୩୩।

 

କାଖ ହୋଇଥାଏ ମାଆ କାଖରେ

ମୋତେ ଦେଖଇଟି ଯେବେ ପାଖରେ ।୩୪।

 

ହସି ଉଠଇ ହୋଇ କର କର

ମୋତେ ବଢ଼ାଇ ଦିଏ ବେନି କର ।୩୫।

 

ଦୁଖୀଧନକୁ ବସାଇ କାଖରେ

ସେହିଲାଗେ ଚୁମ୍ବ ଦେଇ ମୁଖରେ ।୩୬।

 

ତାଙ୍କ ଅଗଣାଯାକ ବୁଲୁଥାଇ

ଲାଗି ତା ଦେହେ ଦେହ ଫୁଲୁଥାଇ ।୩୭।

 

କେତେବେଳେ କାଖରେ ଝୁଲୁଥାଇ

ମା ମା ଦରୁଟି କରି ବୋଲୁଥାଇ ।୩୮।

 

ଥରେ ଥରେ ଶୁଣି ଛାଡ଼ି ଦିଅଇ

ଯାଇ ଖଣ୍ଡଦୂରେ ଉଭା ହୁଅଇ ।୩୯।

 

ଯାଏ ଗୁରୁଣ୍ଡି ମୋ ପାଦ ତଳକୁ

ଘୁଞ୍ଚୁଥାଇ ମୁଁ ବେଳକୁ ବେଳକୁ ।୪୦।

 

ସହି ସେହିଠାରୁ ତଳେ ପଡ଼ଇ

କାନ୍ଦି କରି ଚରଣ ସିଞ୍ଚାଡ଼ଇ ।୪୧।

 

ଆହା କି କଲି ବୋଲି ମୁଁ ଦୁଃଖରେ

ତୋଳି ବହନ ଧରଇ କାଖରେ ।୪୨।

 

ମତେ କେତେ ରୂପେ ଦୁଃଖ କରଇ

କାନ୍ଦିବାରେ ବିମ୍ବାଧର ଥରଇ ।୪୩।

 

କାଖେ ସିଞ୍ଚାଡ଼ୁ ଥାଇ ଯେ ଗୋଡ଼କୁ

ଲୋଟିପଡ଼ି ଯେ ମୋ ପିଠି ଆଡ଼କୁ ।୪୪।

 

ଶାନ୍ତି ନୁହଇ ସେ ବୋଧି କହିଲେ

କାନ୍ଦେ ଅଧିକ ମୁଖକୁ ଚାହିଁଲେ ।୪୫।

 

ପୁଣି ବସାଏ ନେଇଣ କନ୍ଧରେ

ବଟି କହଇ ଚାନ୍ଦରେ ଚାନ୍ଦରେ ।୪୬।

 

ଏହି କଥାରେ ନେଉଥାଇ କାଳ

ନ ଜାଣଇଁ ମୁଁ ସଞ୍ଜ କି ସକାଳ ।୪୭।

 

ଛାଡ଼ି ଦେଲି ସବୁ ଘର ଜୀବିକା

କେହୁ ଜାଣଇ ଦହି ଦୁଧ ବିକା ।୪୮।

 

ସଖୀ ଖାଇବା ପିଇବା ଛାଡ଼ିଲି

ଏକା ତାହାରି ସ୍ନେହରେ ବୁଡ଼ିଲି ।୪୯।

 

ଦଣ୍ଡେ ମାନ୍ତ୍ର ଯେବେ ହୁଡ଼ି ଆସଇ

ମୋତେ ସଂସାର ଅନ୍ଧାର ଦିଶଇ ।୫୦।

 

ସାତ ବରଷ ହେବାଯାଏ ତାକୁ

ନ ଜାଣଇ ସେ ମାତା ପିତାକୁ ।୫୧।

 

ତଳେ ନ ବସାଇ ପଦ୍ମ ମୁଖକୁ

ଦେଖି ଝମିଯାଏ ଆସି ପାଖକୁ ।୫୨।

 

ପାଞ୍ଚ ବରଷ ଦିନରୁ ଟାପରା

ଜାଣି କରଇ ନ ଜାଣିଲା ପରା ।୫୩।

 

କେଉଁ ଦିନ ମୋ ମୁଖକୁ ଚାହଁଇ

ଅଳ୍ପ ହସି ଗେଲେ କଥା କହଇ ।୫୪।

 

କଉଁ ଦିନ କୁଚେ ଲଦି ବଦନ

ହସି ଉଠୁଥାଇ ନନ୍ଦ ନନ୍ଦନ ।୫୫।

 

ଦିନେ ମୋର କୁଚେ କର ଲଦିଲା

ହସି ଭାସିଲା ମନକୁ ଭେଦିଲା ।୫୬।

 

ହାତ ବଢ଼ାଇ ଦେଇଣ ନୀବିକି

ପୁଣି ବୋଇଲା ଚୁମ୍ବନ ଦେବି କି ।୫୭।

 

ଏହା ଶୁଣି ମୁଁ ଗୋ ଚଳି ହୋଇଲି

କିରେ କି ପାଠ ତୋର ଏ ବୋଇଲି ।୫୮।

 

ଦିନେ ବୋଇଲା କେମନ୍ତ ତୋହର

ହେଲା କି ଚିତ୍ତ ଲାଗିଲା ମୋହର ।୫୯।

 

ଦିନେ କୁଚେ ହାତ ଦେଇ ବୋଇଲା

କହ ତୋ ଠାକୁ କାହୁଁ ଏ ଅଇଲା ।୬୦।

 

ମୋର ଦେହେ ତ ନାହିଁ ଏହୁ ପରା

ଏଥୁ ଗୋଟିଏ ମୋତେ ଦେବୁ ପରା ।୬୧।

 

କହ କାହିଁ ସଖି ଲଭୁ ଏମାନ

ଚଳି ବୋଇଲି ଆରେ ହୀନିମାନ ।୬୨।

 

ଏତେ ପରପଞ୍ଚ ତୁରେ ହୋଇଲୁ

ମାଆ ଆଗେ କହିବି କି ବୋଇଲୁ ।୬୩।

 

ବୋଲେ ବୋଇଲାକୁ ଏହା କି ହେଲା

ମୋର ଦୁଃଖ ତୋ ମନରେ ନ ହେଲା ।୬୪।

 

କାହିଁ ପାଇଁ ରହୁଛୁ ଅପସରି

କହ କହ ରେ କେତେ ଯିବ ସରି ।୬୫।

 

ଯେହୁ ମୋର କରିଥାଇ ଯାହାକୁ

ତାର ସବୁ ଦୁଃଖ ଲାଗେ ତାହାକୁ ।୬୬।

 

ଜାଣିଥିବୁ ଲୋକ ମୁହିଁ ତୋର ତି

ମୋତେ କେମନ୍ତେ ଶିଖାଅ ସୁରତି ।୬୭।

 

ଏହା ଶୁଣି ମୁଁ ତାଟକା ହୋଇଲି

କାଖୁ ଓହ୍ଲାଇ ତଳରେ ଥୋଇଲି ।୬୮।

 

ସେହିଦିନୁଁ ଲୋକ ଅପଖ୍ୟାତିକି

ଡରି ନ ମାଡ଼ିଲି ତାର କତିକି ।୬୯।

 

ଦଣ୍ଡେ ମରୁଛି ନ ଥିଲି ଯାହାକୁ

ସପନେ ହେଁ ନ ଦେଖିଲି ତାହାକୁ ।୭୦।

 

ଦିନେ ନଈକି ଗାଧୋଇ ଯାଉଛି

ବାଟେ ଦେଖିଲି ବତ୍ସା ଚରାଉଛି ।୭୧।

 

ଆସି ମିଳିଲା ମୋହ ନିକଟରେ

ଭାଙ୍ଗିଗଲି ମୁଁ ଅଲଗା ବାଟରେ ।୭୨।

 

ଏହା ଦେଖି ତମ ତମ ହୋଇଲା

ରହ ଜାଣିବା ଯେ ବୋଲି ବୋଇଲା ।୭୩।

 

ଏବେ ସହୁ ନାହୁଁ ମୋର ଟାପରା

ଏଡ଼େ ଟାଣ ରହିବ ନାହିଁ ପରା ।୭୪।

 

ଚଳି ଏ ରୂପେ ବୁଲାଇ ଲଉଡ଼ି

ବନ ଆଡ଼େ ନେଲା ବତ୍ସା ଘଉଡ଼ି ।୭୫।

 

ସ୍ନାନ କରି ଅଇଲି ସଦନକୁ

ଭଏ ଲାଗିଲା ମୋହର ମନକୁ ।୭୬।

 

ଶୁଣି ତାହାଠାରୁ ଏହି ପଦକ

ହେଉ ଅଛି ମୋ ବୁକୁ ଦକଦକ ।୭୭।

 

ମତେ କରିବ ଅବା କି ମନ୍ତର

ଏହା ଶୁଣି ହେଉଥାଇ କାତର ।୭୮।

 

ଏକ ଦିନରେ ବସନ୍ତ କାଳରେ

ପାଞ୍ଚ ସଖୀ ଆମ୍ଭେ ଏକ ମେଳରେ ।୭୯।

 

ବୃନ୍ଦାବନକୁ ହୋଇଛୁ ବାହାର

ଫୁଲ ତୋଳି ସର୍ବେ କରିବୁ ହାର ।୮୦।

 

ମନ ଅନୁରୂପେ ହୋଇ ସୁବେଶ

ଯାଇ ବନରେ ହୋଇଲୁଁ ପ୍ରବେଶ ।୮୧।

 

ମନ୍ଦ ଗନ୍ଧ ଶୀତ ବାତ ବହୁଛି

କୁହୁ କୁହୁ ବାଣୀ ପିକ କହୁଛି ।୮୨।

 

ଫୁଲେ ଚୁମ୍ବ ଦେଉଛନ୍ତି ଭ୍ରମରେ

ପକ୍ଷୀମାନେ ମାତିଛନ୍ତି କାମରେ ।୮୩।

 

ରତି କରୁଛନ୍ତି କଉଁ ଚଡ଼ାଇ

କେହୁ କାହାକୁ ଅଛନ୍ତି ଗୋଡ଼ାଇ ।୮୪।

 

ଯୋଡ଼ି ଯୋଡ଼ି ହୋଇ ମୃଗ ହରିଣୀ

କାହିଁ ମାତିଛନ୍ତି କରି କରିଣୀ ।୮୫।

 

ଆମ୍ବ ତରୁ ହୋଇଛନ୍ତି ମୁକୁଳ

ଶୋଭାପାନ୍ତି ପଲ୍ଲବେ ଲତାକୁଳ ।୮୬।

 

ମଲ୍ଳୀ, ମାଳତୀ, ମାଧବୀ ଫୁଟୁଛି

ବନଯାକ ସୁବାସ ଚହଟୁଛି ।୮୭।

 

କୁରୁବଳ, ନିଆଳୀ, ଚମ୍ପା, କୁନ୍ଦ

କନିଅର ପାଟଳି ମୁଚୁକୁନ୍ଦ ।୮୮।

 

ନାନା ଫୁଲମାନେ ଫୁଟି ଅଛନ୍ତି

ମଧୁକର ମଧୁରେ ଉଡ଼ୁଛନ୍ତି ।୮୯।

 

ସ୍ୱର୍ଗ ସଂପଦ ପଡ଼ୁନାହିଁ ମନେ

ପାଞ୍ଚେ ଫୁଲ ତୋଳୁ ଅଛୁଁ ସୁମନେ ।୯୦।

 

ଯାର ଯହିଁରେ ଶରଧା ବଳୁଛି

ସେ ଯେ ସେହି ଫୁଲ ଗୋଟି ତୋଳୁଛି ।୯୧।

 

ମୋର ସ୍ନେହ ଯେ ନିଆଳୀ ଫୁଲରେ

ଖୋଜି ଖୋଜି ତୋଳୁଛି ତା ଗେଲରେ ।୯୨।

 

କେତେ ଦୂରେ ଏକ ଥାନ ଦେଖିଲି

ଯାହା ଚାହିଁ ପଲକ ଉପେକ୍ଷିଲି ।୯୩।

 

ଆହା ତାହା କେହି ବିହି ବିହିଲା

ସବୁ ଶୋଭାଯାକ ତହିଁ ରହିଲା ।୯୪।

 

ନାହିଁ ତା ସୁଖ ନନ୍ଦନବନରେ

ଥିବ ଅବା ବଇକୁଣ୍ଠ ଥାନରେ ।୯୫।

 

ଚାରି ପାରୁଶେ ଲତା କୁଞ୍ଜ ବାଡ଼

ମଧ୍ୟେ ରତନ ମଣ୍ଡପ ନିବାଡ଼ ।୯୬।

 

ଠାବେ ଠାବେ ସୁବର୍ଣ୍ଣ ବେଦୀମାନ

କି ସେ ବନର ଦେବତା ସମାନ ।୯୭।

 

ନାନା ଫୁଲମାନେ ଫୁଟି ହସନ୍ତି

ପିକ ଶୁକସାରୀମାନେ ଭାଷନ୍ତି ।୯୮।

 

ଅଛି ପୋଖରୀଏ ତହିଁ ପାଶରେ

ହଂସ ଡାହୁକ ଚାରି ପାରୁଶରେ ।୯୯।

 

ଜଳ ସ୍ଫଟିକ ସମାନ ନିର୍ମଳ

ଫୁଟିଛନ୍ତି ତହିଁ କଇଁ କମଳ ।୧୦୦।

 

ଚନ୍ତ୍ରବାକ ହଂସରାଳୀ ସାରସ

କେଳି କରୁଛନ୍ତି ହୋଇ ହରଷ ।୧୦୧।

 

ଲାଗୁଛି ସେ ଆହା ଯଉଁ ଶୀତଳ

ସ୍ୱର୍ଗ ପୁରହିଁ ଅଟେ ତାକୁ ତଳ ।୧୦୨।

 

ଯାଇଁ ଦେଖିଲି ସେହି ମଣ୍ଡପରେ

କୃଷ୍ଣ ବସିଛନ୍ତି ଦୋଳି ଉପରେ ।୧୦୩।

 

ତନୁ ସୁନ୍ଦର କୁଙ୍କୁମ ବୋଳରେ

ନେନ୍ତ୍ର କମଳ ଶୋହେ କଜ୍ଜ୍ୱଳରେ ।୧୦୪।

 

ଦନ୍ତପନ୍ତି ପାଚିଛି ତାମ୍ବୁଳରେ

ଶିର ଶୋଭା ଶିଖୀପୁଚ୍ଛ ଚୂଳରେ ।୧୦୫।

 

ଅଙ୍ଗ ସାଜେ ନାନା ଫୁଲ ମାଳରେ

ନାହିଁ ସେ ଶୋଭା ମହୀ ମଣ୍ଡଳରେ ।୧୦୬।

 

ଗୋପୀ ଶ୍ରୀମୁଖେ ଚୁମ୍ବନ ଦିଅନ୍ତି

ବିମ୍ବାଧରୁ ସୁଧାରସ ପିଅନ୍ତି ।୧୦୭।

 

ଏଣେ ନାମ ଧରି ଡାକେ ମୁରଲୀ

ବେଳୁ ବେଳ ଦେହ ଗଲା ତରଳି ।୧୦୮।

 

ବିଚାରିଲି ଲକ୍ଷେ ମୁଖ ହୁଅନ୍ତା

କୃଷ୍ଣଚନ୍ଦ୍ରଙ୍କୁ ଚୁମ୍ବନ ଦିଅନ୍ତା ।୧୦୯।

 

ଆଖି ହୁଅନ୍ତା ମୋ କୋଟି କୋଟିକି

ମନ ପ୍ରମୋଦେ ଦେଖନ୍ତି ମୁଁ ଟିକି ।୧୧୦।

 

ଏହା ବିଚାରି ମିଳିଲି ପାଖରେ

ବଳେ ଭିଡ଼ି ଚୁମ୍ବ ଦେଲି ମୁଖରେ ।୧୧୧।

 

ଏ କି ଛାଡ଼ ଛାଡ଼ ବୋଲି ବୋଇଲେ

କରେ ପେଲିଦେଇ କରେ ଧଇଲେ ।୧୧୨।

 

ତାଙ୍କୁ ବୋଇଲି ମୋ ଦୋଷ ନ ଧର

ଏବେ ମଦନ ଶାପରୁ ଉଦ୍ଧର ।୧୧୩।

 

ଶୁଣି ବୋଇଲେ ଏବେ ତ ହୋଇଲା

ତୁ କି ମୋ ଦୋଷ ନ ଧରୁ ବୋଇଲା ।୧୧୪।

 

ତୋତେ ମୋର ଆଶ ଯେତେ ରମଣୀ

କେତେ କହିବି ତାହା ପ୍ରାଣମଣି ।୧୧୫।

 

ମନେ ହେଲା ଏ ଜନମ ସୁଫଳ

ସ୍ୱର୍ଗ ପୁରରେ କେ ଦେବ ଏ ଫଳ ।୧୧୬।

 

ନାନା ପରି କେଳିମାନ ସାରିଲେ

ପୁଣି କୋଳ ଉପରେ ବସାଇଲେ ।୧୧୭।

 

ତାଙ୍କୁ ବୋଇଲି ହେ ମନମୋହନ

ଦିଅ ମେଲାଣି ମୁଁ ଯିବି ବହନ ।୧୧୮।

 

ଏବେ ଦେଖିଲି ତ ସବୁ ଭାବନା

ଛଡ଼ା ଫୁଲ ପରାଏ କର ସିନା ।୧୧୯।

 

ପୁଣି କୃଷ୍ଣ ବୋଇଲେ କି ବୋଇଲୁ

ଆଜଠାରୁ ମୋ ଜୀବନ ହୋଇଲୁ ।୧୨୦।

 

ଥିବ ସୁଖେ ବୋଲି ପାଦ ଧଇଲି

ଯିବି ମେଲାଣି ହେଉଛି ବୋଇଲି ।୧୨୧।

 

ବୋଇଲି ହେ ଶୁଣ ନବ ନାଗର

ସଙ୍ଗ ସଖୀ ଛନ୍ତି ବନ ଭାଗର ।୧୨୨।

 

ଏଣେ ଅଇଲେ ଦଇବ ଯୋଗରେ

ମୋତେ ଦେଖିବେଟି ତୁମ୍ଭ ଆଗରେ ।୧୨୩।

 

ଶୁଣି ବୋଇଲେ ରେ ଭୟ ନ କର

ଚାଲ ଦେଖିବା ରୀତି ତାହାଙ୍କର ।୧୨୪।

 

ମୋର କର ଶ୍ରୀକରରେ ଧଇଲେ

ଆସ ବୋଲି ଆଗୁସାର ହୋଇଲେ ।୧୨୫।

 

ଖଣ୍ଡେ ଦୂରରେ ଅଶୋକ ବନରେ

ଯାଇ ହେଲୁ ମନୋହର ସ୍ଥାନରେ ।୧୨୬।

 

ତହିଁ ଏକ ଉଦରେ ନିବିଡ଼ିଛି

ରତ୍ନ ପଲଙ୍କ ଗୋଟିଏ ପଡ଼ିଛି ।୧୨୭।

 

ତହିଁ ସଖୀ ଜଣେ ଧରି କୋଳରେ

କୃଷ୍ଣ ବସିଛନ୍ତି ନ୍ତ୍ରୀଡ଼ା ଭୋଳରେ ।୧୨୮।

 

ତନୁ ସୁନ୍ଦର କୁଙ୍କୁମ ବୋଳରେ

ଶିର ଶୋଭା ଶିଖୀ ପୁଚ୍ଛ ଚୂଳରେ ।୧୨୯।

 

ଅଙ୍ଗ ସାଜେ ନାନା ଫୁଲ ମାଳରେ

ନାହିଁ ସେ ଶୋଭା ମହୀମଣ୍ଡଳରେ ।୧୩୦।

 

ଗୋପୀ ଶ୍ରୀମୁଖେ ଚୁମ୍ବନ ଦିଅନ୍ତି

ବିମ୍ବାଧରୁ ସୁଧାରସ ପିଅନ୍ତି ।୧୩୧।

 

ଏହି ସମୟରେ ମନମୋହନ

ହାତଧରି ମୋ ମିଳିଲେ ବହନ ।୧୩୨।

 

ସଖୀ ଦେଖିଲି ଯହୁଁ ଏ ଚରିତ

ମନେକଲି ଏ ଅତି ବିପରୀତ ।୧୩୩।

 

ଦୁହେଁ ଅତ୍ୟନ୍ତ ତାଟକା ହୋଇଲୁଁ

କେହି କାହାକୁ କିଛି ନ ବୋଇଲୁଁ ।୧୩୪।

 

ତାର ହାତ ସେ ମୋହନ ଧଇଲେ

ପଲଙ୍କରୁ ବାହାର ସେ ହୋଇଲେ ।୧୩୫।

 

ମୋତେ ଧରିଛନ୍ତି ମୋର ଜୀବନ

ଚାରି ଜଣେ ପଶିଲୁ କୁଞ୍ଜବନ ।୧୩୬।

 

ତହିଁ ଦେଖିଲୁଁ ଯେ କୁଞ୍ଜ ଭିତରେ

ଆର ସଖୀ ସଙ୍ଗରେ ଏକାନ୍ତରେ ।୧୩୭।

 

ପଶା ଖେଳୁଛନ୍ତି ନନ୍ଦନନ୍ଦନ

ଶ୍ୟାମ ଅଙ୍ଗ ଗୋଟି ଯାକ ଚନ୍ଦନ ।୧୩୮।

 

ତାମ୍ବୁଳରେ ବିମ୍ବାଧର ସୁରଙ୍ଗ

ନେନ୍ତ୍ର ଗତି ନିନ୍ଦେ ବାଳ କୁରଙ୍ଗ ।୧୩୯।

 

ବେଣୀ ଲମ୍ବି ପଡ଼ିଅଛି କଟିକି

ନାହିଁ ଉପମା ସେ ଛବି ଗୋଟିକି ।୧୪୦।

 

ଯୁବା ବୟସ ଅତି ସୁକୁମାର

କି ସେ ଅଟନ୍ତି ତନୁଧର ମାର ।୧୪୧।

 

ଯହୁଁ ଆମ୍ଭକୁ ଦେଖିଲେ ଆଗରେ

ଗୋପୀ କର ଧଇଲେ ସରାଗରେ ।୧୪୨।

 

ତିନି ସଖୀଏ ତାଟକା ହେଉଛୁଁ

କେହି କିଛି ନ କହି ଅନାଉଛୁ ।୧୪୩।

 

କେହି କାହାରି ପରି ଯେ ନୁହଇ

ତିନିଙ୍କର ରୂପ ମନ ମୋହଇ ।୧୪୪।

 

ତହୁଁ ଛଅଜଣ ହେଲୁଁ ବାହାର

କର ଧରି ଅଛନ୍ତି ଯେ ଯାହାର ।୧୪୫।

 

କେଳି କଦମ୍ବ ମୂଳକୁ ଚଳିଲୁଁ

ଦିବ୍ୟ ମନୋହର ସ୍ଥାନେ ମିଳିଲୁଁ ।୧୪୬।

 

ସବୁ ସ୍ଥାନରୁ ସେ ସ୍ଥାନ ଅଧିକ

ତାକୁ ଦେଖିଲେ ସ୍ୱର୍ଗ କରି ଧିକ ।୧୪୭।

 

ତହିଁ ଆର ଗୋପୀକାର ମେଳରେ

ମାତିଛନ୍ତି କୃଷ୍ଣ ଫଗୁ ଖେଳରେ ।୧୪୮।

 

ନୀଳମେଘେ ବାଳ ସୂର୍ଯ୍ୟ କିରଣ

ପ୍ରାୟ ଫଗୁ ଦିଶେ ଶ୍ୟାମ ପରେଣ ।୧୪୯।

 

ହୃଦ ପଦକରେ ଯେ ହୀରା ଏକ

ଭ୍ରମ କରାଏ ମାଣିକ୍ୟ ପ୍ରାୟେକ ।୧୫୦।

 

ଶିରେ ଶିଖୀପୁଚ୍ଛ ଚୁଳ ରଙ୍ଗରେ

ମିଳିଛନ୍ତି ଜାମୁଡ଼ାଳି ସାଙ୍ଗରେ ।୧୫୧।

 

କଟିତଟେ ହେମ ଘାଗୁଡ଼ି ମାନ

ତମ୍ବା ପରି ଦିଶୁଛି ଅନୁମାନ ।୧୫୨।

 

ଅନୁରାଗ ହେବାରୁ ଅଭାଗରେ

ଉଛୁଳିଲେ କାନ୍ତ କାନ୍ତ ଆଗରେ ।୧୫୩।

 

ଆମ୍ଭମାନଙ୍କୁ ପାଶରେ ଅନାଇ

ଫଗୁ ମାଇଲେ ସେ ଗୋପ କହ୍ନାଇ ।୧୫୪।

 

କର ଛାଡ଼ି ଆସୁ ମନମୋହନ

ଫଗୁ ଖେଳରେ ମିଳିଲେ ବହନ ।୧୫୫।

 

ନିଜ କୃଷ୍ଣ ମାନଙ୍କର ସଙ୍ଗରେ

ଫଗୁ ଖେଳୁଛନ୍ତି ରସ ଭୋଗରେ ।୧୫୬।

 

ତହୁଁ ହରସେ ସମସ୍ତେ ଚଳିଲୁଁ

ଯାଇଁ ଯମୁନା କୂଳରେ ମିଳିଲୁଁ ।୧୫୭।

 

ତହିଁ ଦେଖିଲୁଁ ଯେ ନବନାଗର

ନାବ ଖେଳୁଛନ୍ତି ଗୋପୀ ସଙ୍ଗର ।୧୫୮।

 

ସଙ୍ଗେ ବସି କାତଧରି ବାହାନ୍ତି

ହସି ଗୋପିକା ମୁଖକୁ ଚାହାନ୍ତି ।୧୫୯।

 

ଦେଖି ଆମ୍ଭଙ୍କୁ ନାବୁଁ ଉତୁରିଲେ

ଜଳକ୍ରୀଡ଼ା କରିବା ସେ ଭାଷିଲେ ।୧୬୦।

 

ସର୍ବେ ଜଳସ୍ରୋତେ ଯାଇ ପଶିଲୁଁ

ସ୍ନାନ ସାରି ଦେହୁ ଶ୍ରମ ନାଶିଲୁଁ ।୧୬୧।

 

ସର୍ବେ ଜଳ ମରାମରି ହୋଇଲେ

କୃଷ୍ଣ ଆମ୍ଭକୁ ଅନାଇଁ ବୋଇଲେ ।୧୬୨।

 

ଦେଖ ଦେଖିବା କେ ବୁଡ଼ ବୁଡ଼ିବ

ଆଗ କରି କେ ନିଶ୍ୱାସ ଛାଡ଼ିବ ।୧୬୩।

 

ଯେହୁ ଆଗ ବାହାରିବ ହାରିବ

ଜିଣିବ ସେ ଯେ ପଛେ ବାହାରିବ ।୧୬୪।

 

ଆମ୍ଭମାନଙ୍କ ମନକୁ ଅଇଲା

ଜଳେ ବୁଡ଼ିଲୁଁ ସକଳ ଛଇଳା ।୧୬୫।

 

ଘଡ଼ିକରେ ଯାଇଁ ହେଲୁଁ ବାହାର

ଜଳେ ବୁଡ଼ି କୃତ୍ୟ ନାହିଁ କାହାର ।୧୬୬।

 

ଆଖି ପୋଛି କରି ଦେଲୁଁ ଅନାଇଁ

କାହିଁ ଗଲେଣି ସେ ପାଞ୍ଚ କହ୍ନାଇ ।୧୬୭।

 

ପାଞ୍ଚ ସଜନୀ ହୋଇଲୁଁ ଚକିତ

ଏହି ମତି ବା ରୀତି ଅଲୋକିତ ।୧୬୮।

 

ସ୍ନାନ କରି ଅଇଲୁଁ ମନ୍ଦିରକୁ

କେହୁ ସରି ସେ ନନ୍ଦ କୁମରକୁ ।୧୬୯।

 

କେତେ ପ୍ରକାରେ ମନକୁ ବଢ଼ାଇ

ଛାଡ଼ିଗଲା ସବୁ ସୁଖ ଛଡ଼ାଇ ।୧୭୦।

 

ଏହିରୂପେ କୁହା କୁହି ହୋଇଲେ

କାନ୍ଦି ଅଜ୍ଞାନେ ମହୀରେ ପଇଲେ ।୧୭୧।

 

କେତେ ବେଳରେ ପୁଣି ପାଇ ଜ୍ଞାନ

ସେହି କୃଷ୍ଣ ରୂପ କରନ୍ତି ଧ୍ୟାନ ।୧୭୨।

 

ହା ହା ଘନଶ୍ୟାମ ନବ କିଶୋର

ଆମ୍ଭ ମନୁ ତ ନ ଯିବ ପାଶୋର ।୧୭୩।

 

କାମ ବେଦନା କି କରି ସହିବୁଁ

ପିଣ୍ଡେ ପରାଣ କିରୂପେ ବହିବୁଁ ।୧୭୪।

 

ଏହିରୂପେ ଛଅ ସଖୀ ଶୋଚନା

ବୋଲି ଗୀତରେ କଲି ଯେ ରଚନା ।୧୭୫।

 

ଅତି ଅଧମ ମୋ ଛାର କୃତ୍ୟରେ

ବୋଲି ପାରନ୍ତି କି କଦାଚିତରେ ।୧୭୬।

 

କୃପାବଧି କୃପା କଲେ କିଞ୍ଚିତରେ

ଏହି ପଦ ସ୍ଫୁରିଲା ମୋ ଚିତ୍ତରେ ।୧୭୭।

 

ଆନ ଗୀତ ଯେ ଏପରି ନୁହଇ

ଏହା ଗାଇଲେ ପାତକ ଦହଇ ।୧୭୮।

 

ଭକ୍ତ ଜନମାନଙ୍କ ଅଙ୍ଗୀକାରେ

ଗୀତ କରିଛି ମୁଁ ନାନା ପ୍ରକାରେ ।୧୭୯।

 

ନାନା ଜାତି ନିୟମ ନାନା ରସେ

କେତେ ଛାନ୍ଦମାନ କଲି ହରଷେ ।୧୮୦।

 

ସେତ ସବୁରି ନୋହିଲା ବୋଧକ

ପରମାର୍ଥରେ ନୋହିଲା ସାଧକ ।୧୮୧।

 

ଏହି ଘେନି କୃତାର୍ଥ ହେବି ବୋଲି

ଦେଶ ଭାଷାରେ ବୋଇଲି ଏ ବୋଲି।୧୮୨।

 

ମୋର ଘର ଢେଙ୍କାନାଳ ନଗରେ

ମୁକ୍ତାଦେଈଙ୍କ ଶାସନ ଆଗରେ ।୧୮୩।

 

ପିତାଙ୍କର ନାମ ବାଲୁକେଶ୍ୱର

ପଟ୍ଟନାୟକ କଲେ ନରେଶ୍ୱର ।୧୮୪।

 

ଶିଷ୍ଟ କରଣ ଯେ ଆମ୍ଭେ ଜାତିରେ

ଚାରିଭାଇ କବି ନାନା ରୀତିରେ ।୧୮୫।

 

ଜ୍ୟେଷ୍ଠ ଗୋପୀନାଥ ପଟ୍ଟନାୟକ

ଇଷ୍ଟ ତାଙ୍କର ନୀଳାଦ୍ରି ନାୟକ ।୧୮୬।

 

ମଧ୍ୟ ଜଗନ୍ନାଥ ପଟ୍ଟନାୟକ

କବି ଭୁଷଣ ପଦ ତ ନାୟକ ।୧୮୭।

 

ସର୍ବ କନିଷ୍ଠ ନାମ ଲୋକନାଥ

ରାଉତରାହିଁ କଲେ ନରନାଥ ।୧୮୮।

 

ବ୍ରଜନାଥ ବୋଲିଣ ମୋର ଯେ ନାଁ

ରାଜପଦ ଅଟଇ ବଡ଼ଜେନା ।୧୮୯।

 

ଏହି ଗୀତ ପଦ ପ୍ରାନ୍ତ ପାଖରେ

ଅଛି ନିୟମ ଏ ବେନି ଅକ୍ଷରେ ।୧୯୦।

 

ଗୋପୀ ବିଳାପ ନାମ ଏ ବହଇ

ବ୍ରଜନାଥ ବଡ଼ଜେନା କହଇ ।୧୯୧।

 

୧। କରି(ପାଠାନ୍ତର), ୨। ଯେ(ପାଠାନ୍ତର), ୩। ସିନା(ପାଠାନ୍ତର), ୪। ମୁହିଁ କହଇ ବହୁତ ବୁଝାଇ(ପାଠାନ୍ତର), ୫। ପୁରେ = ଏକ ପରସ୍ତ, ୬। କି ରସେ (ପାଠାନ୍ତର), ୭। ଝସିଯାଏ (ପାଠାନ୍ତର), ୮। ଏଣିକି ତେଣିକି (ପାଠାନ୍ତର), ୯। ଚଳି ବୋଇଲି ଆରେ ହୀନିମାନ କାହୁଁ ଶିଖିଲୁ ତୁ ଏ କଥାମାନ, ୧୦। ଜାଣିଥିବୁ ଲୋ ମଦନର ଗତି (ପାଠାନ୍ତର), ୧୧। ଚଜି (ପାଠାନ୍ତର), ୧୨। ହେଜି (ପାଠାନ୍ତର), ୧୩। ପାବଚ୍ଛ (ପାଠାନ୍ତର)

 

--ସମାପ୍ତ--